ଭବାନୀପାଟଣା,ଏନ୍ଏନ୍ଏସ୍: ଗତ ୧୪ ତାରିଖ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଚଳିତ ଖରିଫ୍ ଋତୁ ପାଇଁ ଏକ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଧର୍ମଗଡ ଉପ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ସମେତ ସମସ୍ତ ଜଳ ସମ୍ପଦ ବିଭାଗ, କୃଷି, ସମବାୟ, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ଜଳସେଚନ, ବ୍ୟାଙ୍କ୍, କୃଷି ବିଜ୍ଞାନ କେନ୍ଦ୍ରର ପ୍ରମୁଖ ଅଧିକାରୀ ଓ ଚାଷୀ ପ୍ରତିନିଧି ଯୋଗ ଦେଇଥିଲେ।
ସର୍ବପ୍ରଥମେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କଳାହାଣ୍ଡି ଗତ ୨୦୨୧-୨୨ରେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ଓ ଉପଲବ୍ଧି ଗୃହରେ ଉପସ୍ଥାପନ କରିଥିଲେ ଓ ଚଳିତ ଖରିଫ ଋତୁର ଧାର୍ଯ୍ୟ ଲକ୍ଷ୍ୟ ଉପସ୍ଥାପନ କରିଥିଲେ। ଚଳିତ ଖରିଫ ଋତୁରେ ଧାନ ୧ ଲକ୍ଷ ୮୬ ହଜାର ୯୬୧ ହେକ୍ଟର, ମକା ୧୫ ହଜାର ୪୦୨ ହେକ୍ଟର, କ୍ଷୁଦ୍ର ଶସ୍ୟ ୯ ହଜାର ୩୦୦ ହେକ୍ଟର, ଡାଲି ଜାତୀୟ ଶସ୍ୟ ୬୫ ହଜାର ୭୪୨ ହେକ୍ଟର, ତୈଳବୀଜ ୧୨ ହଜାର ୬୨୦ ହେକ୍ଟର, କପା ଜାତୀୟ ୭୪ ହଜାର ୫୦୮ ହେକ୍ଟର, ପନିପରିବା ୧୫ ହଜାର ୭୫୩ ହେକ୍ଟର, ମସଲା ଜାତୀୟ ୨ ହଜାର ୭୦୦ ହେକ୍ଟର, ଆଖୁ ୭୩୫ ହେକ୍ଟର ଏଭଳି ସମୁଦାୟ ୩ ଲକ୍ଷ ୮୩ ହଜାର ୭୨୧ ହେକ୍ଟର ଜମିରେ ଚାଷର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ବୈଠକରେ ଜଣାଇଥିଲେ। ଏଥିମଧ୍ୟରୁ ୨ ଲକ୍ଷ ୪୧ ହଜାର ୬୯ ହେକ୍ଟର ଜଳସେଚିତ ଏବଂ ୧ ଲକ୍ଷ ୪୨ ହଜାର ୬୫୨ ହେକ୍ଟର ଅଣ ଜଳସେଚିତ ଜମିରେ ଚାଷ ହେବାପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରକାଶ କରିଥିଲେ। ବୃହତ୍ ଜଳସେଚନ ଏବଂ ଅନ୍ୟାନ୍ୟ ଜଳସେଚନ ବିଭାଗର ଯନ୍ତ୍ରୀ ବର୍ଷା ଠିକ୍ ହେଲେ ଧାର୍ଯ୍ୟ ଜଳସେଚନର ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ବୃହତ୍ ଜଳସେଚନ ପ୍ରକଳ୍ପ ଯନ୍ତ୍ରୀ ଗତ ୬ତାରିଖରୁ ଇନ୍ଦ୍ରାବତୀ ଜଳସେଚନ କେନାଲରେ ଜଳ ଛଡାଯାଉଛି ଏବଂ ଏହା ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପ୍ରକାଶ କରିଥିଲେ।
ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଚଳିତ ଖରିଫ ଋତୁ ପାଇଁ ବିଭିନ୍ନ ରାସାୟନିକ ସାର ୭୩ ହଜାର ୭୦୦ ମେଟ୍ରିକ୍ ଟନ୍ ଆବଶ୍ୟକତା ଥିବାବେଳେ ଏ ପର୍ଯ୍ୟନ୍ତ ୪୫ ହଜାର ୬୯୮ ମେଟ୍ରିକ୍ ଟନ୍ ପହଞ୍ଚିଥିବା ବିଷୟରେ ଗୃହକୁ ଅବଗତ କରିଥିଲେ। ସେଭଳି ୨୦୨୧-୨୨ରେ ୨୦ ହଜାର ୫୫୯ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଦିଆଯାଇଥିବାବେଳେ ୨୦୨୨-୨୩ରେ ୨୫ ହଜାର ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉତ୍ତମ ଧାନ ଓ ଅଣଧାନ ବିହନ ଉତ୍ପାଦନ କାର୍ଯକ୍ରମ ପାଇଁ ଚଳିତ ଖରିଫ ଋତୁରେ ୨୩ ହଜାର ୭୧୦ କ୍ଵିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଡିଲରମାନଙ୍କୁ ତନଖି କରି ଉଚିତ୍ ମୂଲ୍ୟରେ ଚାଷୀ ମାନଙ୍କୁ ସାର, ବିହନ ଓ କୀଟନାଶକ ଯୋଗାଣ ପାଇଁ ସଭାର ଅଧ୍ୟକ୍ଷ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ ପରସ୍ପର ସହ ସମନ୍ୱୟ ରକ୍ଷା କରି ଚାଷୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଯୋଜନାର ସଫଳ ରୂପାୟନ କରି କଳାହାଣ୍ଡି ଚାଷୀ ଯେଭଳି ଚାଷ ସମ୍ପର୍କିତ ସମସ୍ତ ସରକାରୀ ସହାୟତା ପାଇପାରିବେ ତା’ଉପରେ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।