ପୁଲିସର ଗତିବିଧି ଜାଣିବା ପାଇଁ ଡ୍ରୋନ ଉଡ଼ାଇଲେ ମାଓବାଦୀ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସୀମାନ୍ତରେ ମାଓବାଦୀମାନେ ବର୍ତ୍ତମାନ ନୂଆ ରଣନିତି ଆପଣାଇଥିବା ଦେଖିବାକୁ ମିଳିଛି। ପୁଲିସ କ୍ୟାମ୍ପର ଗତିବିଧି ଉପରେ ନଜର ରଖିବା ପାଇଁ ମାଓବାଦୀମାନେ ମଧ୍ୟ ଡ୍ରୋନ୍ କ୍ୟାମେରାର ସାହାଯ୍ୟ ନେଇଛନ୍ତି। ମାଓ ଦମନ ନିମନ୍ତେ ନିୟୋଜିତ ହୋଇଥିବା ବିଭିନ୍ନ କ୍ୟାମ୍ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି।

ସୁଚନାଯୋଗ୍ୟ ଯେ, ଛତିଶଗଡ଼ ସୁକୁମା ଜିଲ୍ଲାରେ ମାଓ ପ୍ରବଣ କ୍ରିଷ୍ଣାରାମ, କଂକଡି, ଗୁଡାଭଟା ଆଦି କ୍ୟାମ୍ପ ଉପରେ ଡ୍ରୋନ କ୍ୟାମେରାର ମିଞ୍ଜି ମିଞ୍ଜି ଆଲୁଅ ଜଳୁଥିବା ଜବାନମାନେ ଲକ୍ଷ୍ୟ କରିଛନ୍ତି। ପ୍ରଥମେ ଏହା ବାୟୁସେନାର ରକେଟ କିମ୍ବା ଅନ୍ୟକିଛି ବୋଲି ଭାବୁଥିବା ବେଳେ ପରବର୍ତ୍ତୀ ମୂହୁର୍ତ୍ତରେ ଏହା ଡ୍ରୋନ ବୋଲି ଜାଣିବାକୁ ପାଇଛନ୍ତି। ତେବେ ଏହି ଡ୍ରୋନ କ୍ୟାମେରାଟି ଏହି ଅଞ୍ଚଳରେ ଥିବା ସମସ୍ତ ମାଓ କ୍ୟାମ୍ପ ଉପରେ ଘୁରି ବୁଲୁୁୁଥିବା ଦେଖିବାକୁ ମିଳିଥିଲା।

ମୁଖ୍ୟତଃ ପୁଲିସ ମଧ୍ୟ ମାଓବାଦୀଙ୍କ ଉପରେ ନଜର ରଖିବାକୁ ଡ୍ରୋନ କ୍ୟାମେରା ବ୍ୟବହାର କରୁଥିବା ବେଳେ ଲାଲବାହିିନୀ ମଧ୍ୟ ଏହାର ବ୍ୟବହାର ପରେ ପୁଲିସ ବିଭାଗ ସକ୍ରୀୟ ହୋଇ ଉଠିଛି ଏବଂ ଏହି ଡ୍ରୋନକୁ ପ୍ରତିହତ କରିବାକୁ ସମସ୍ତ କ୍ୟାମ୍ପର ଜବାନମାନଙ୍କୁ ସୁକୁମା ଏସପି ଅଭିଶେକ ପଲ୍ଲବ ନିର୍ଦ୍ଦେଶ ଦେଇଛନ୍ତି।