ଆଜି ହେରାପଞ୍ଚମୀ, ରଥ ଭାଙ୍ଗିବେ ମା’ ମହାଲକ୍ଷ୍ମୀ

ପୁରୀ,ଏନ୍ଏନ୍ଏସ୍: ଆଜି ପବିତ୍ର ହେରାପଞ୍ଚମୀ, ରଥ ଭାଙ୍ଗିବେ ମା’ ମହାଲକ୍ଷ୍ମୀ। ଗୁଣ୍ଡିଚାଘରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରାଗରେ ଭାଙ୍ଗିବେ ନନ୍ଦିଘୋଷ ରଥ। ଗୁଣ୍ଡିଚା ମନ୍ଦିରକୁ ଧର୍ମପତ୍ନୀଙ୍କୁ ସାଙ୍ଗରେ ନଆଣି ବଡ଼ଭାଇ ଓ ଭଉଣୀଙ୍କୁ ନେଇ ବୁଲି ଆସିଛନ୍ତି ମହାପ୍ରଭୁ। ଏଣୁ ପ୍ରଚଣ୍ଡ ରାଗରେ ଲକ୍ଷ୍ମୀ ଠାକୁରାଣୀ ରଥ ଭାଙ୍ଗି ମହାପ୍ରଭୁଙ୍କ ନନ୍ଦିଘୋଷ ଉପରେ ରାଗ ସୁଝାଇବେ।

ପରେ ରାଗରେ ଜର୍ଜରିତ ହୋଇ ହେରାଗୌରୀ ସାହି ଦେଇ ଶ୍ରୀମନ୍ଦିରକୁ ବାହୁଡ଼ି ଯିବେ ଠାକୁରାଣୀ। ସୋମବାର ଜନ୍ମବେଦୀରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ ଦତ୍ତ ମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ଶୃଙ୍ଗାର କରିଛନ୍ତି। ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଏହି ନୀତି ସମ୍ପନ୍ନ ହୋଇଛି। ଆଜି ଶ୍ରୀମନ୍ଦିରରୁ ମା’ଲକ୍ଷ୍ମୀଠାକୁରାଣୀ ଆସି ଗୁଣ୍ଡିଚାମନ୍ଦିରରେ ବିଜେ ହେବେ। ରାତି ସାଢେ ୯ଟାରେ ଠାକୁରାଣୀ ଗୁଣ୍ଡିଚାଘର ଜଗମୋହନରେ ବିଜେ ହେବାର ନୀତି ଧାର୍ଯ୍ୟ ହୋଇଛି। ଆଜି ନୀତି କାନ୍ତି ଶୃଙ୍ଖଳିତ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି।