ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ପରେ ରବିବାର ବିଧାନସଭା ବାଚସ୍ପତି ନିର୍ବାଚନ ହେବ । ବିଧାନସଭା ବାଚସ୍ପତି ପଦ ପାଇଁ ଶିବସେନା ବିଧାୟକ ରାଜନ ସାଲ୍ଭୀ ଓ ବିଜେପି ବିଧାୟକ ରାହୁଲ ନାର୍ଭେକରଙ୍କ ମଧ୍ୟରେ ମୁକାବିଲା ହେବ । ଏନଡିଏ ତରଫରୁ ବିଧାୟକ ରାହୁଲ ଓ ମହା ବିକାଶ ଅଘାଡି ଶିବସେନା ବିଧାୟକ ରାଜନ ସାଲଭୀ ନିର୍ବାଚନ ପଡ଼ିଆରେ ଅବତୀର୍ଣ୍ଣ ଅଛନ୍ତି । ତେଣୁ ଜୁଲାଇ ୪ ତାରିଖ ହେବାକୁ ଥିବା ଶକ୍ତି ପରୀକ୍ଷା ପୂର୍ବରୁ ଆଜି ଏକନାଥ ଶିନ୍ଦେଙ୍କ ପାଇଁ ‘ଅଗ୍ନିପରୀକ୍ଷା’ର ସମୟ ।
ନିର୍ବାଚନକୁ ନେଇ ଶିବସେନା ଗୋଷ୍ଠୀର ସଚେତକ ସୁନୀଲ ପ୍ରଭୁ ବିଧାୟକଙ୍କୁ ହୁଇପ୍ ଜାରି କରିଦେଇଛନ୍ତି । ସେ କହିଛନ୍ତି ଯେ ବିଧାନସଭାର ସମସ୍ତ ଶିବସେନା ସଦସ୍ୟ ପୂରା ନିର୍ବାଚନ ସମୟରେ ଗୃହରେ ଉପସ୍ଥିତ ରୁହନ୍ତୁ । ଏକନାଥ ଶିନ୍ଦେ ଗୋଷ୍ଠୀ ଏବେ କହୁଛନ୍ତି ଯେ, ସେମାନେ ହେଉଛନ୍ତି ଅସଲ ସେନା ଏବଂ ସେମାନେ ଭରତ ଗୋଗାୱଲେଙ୍କୁ ନିଜର ସଚେତକ ଭାବେ ନିଯୁକ୍ତ କରିଛନ୍ତି । ବିଦ୍ରୋହୀ ସମୂହ ଉଦ୍ଧବ ଗୋଷ୍ଠୀଙ୍କୁ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ହୁଇପ୍ ଜାରି କରିପାରେ ।