ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ୨ୟ ଦିନ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,ଏଜେନ୍ସି: ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦ୍‌ରେ ଜୁଲାଇ ୧ ତାରିଖରେ ଆରମ୍ଭ ହୋଇଥିବା ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆଜି ହେଉଛି ଦ୍ୱିତୀୟ ଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକକୁ ସମ୍ବୋଧିତ କରିବେ । ସମସ୍ତଙ୍କ ନଜର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ ଓ ରାଜନୈତିକ ପ୍ରସ୍ତାବ ଉପରେ ରହିବ । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ଦଳୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗଦେଉଛନ୍ତି । ଏତଦ୍ ବ୍ୟତୀତ ତେଲେଙ୍ଗାନାର ଅନ୍ୟ ବରିଷ୍ଠ ବିଜେପି ନେତା ମଧ୍ୟ ବୈଠକରେ ଅଂଶଗ୍ରହଣ କରିଛନ୍ତି ।

ବିଜେପିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପାର୍ଟି ପାଇଁ ରାଜନୀତିକ ପ୍ରସ୍ତାବ ଉପସ୍ଥାପିତ କରିବେ । ଏହି ପ୍ରସ୍ତାବର ସମର୍ଥନ ବିଜେପି ଶାସିତ ମୁଖ୍ୟମନ୍ତ୍ରୀମାନଙ୍କ ଦ୍ୱାରା କରାଯିବ । ସେହିପରି ରାଜନୀତିକ ପ୍ରସ୍ତାବ ଉପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମଇ କିଛି କହିପାରନ୍ତି ।

ସୂଚନାଯୋଗ୍ୟ, ୫ବର୍ଷର ବ୍ୟବଧାନ ପରେ ବିଜେପିର କାର୍ଯ୍ୟକାରିଣୀ ବୈଠକ ଜାତୀୟ ରାଜଧାନୀ ନୂଆଦିଲ୍ଲୀ ବାହାରେ ଆୟୋଜନ ହୋଇଛି । ଭାରତୀୟ ଜନତା ପାର୍ଟି ୨୦୧୪ରେ କେନ୍ଦ୍ରରେ କ୍ଷମତା ହାସଲ କରିବା ପରେ ଦକ୍ଷିଣ ଭାରତରେ ୩ୟ ଥର ପାଇଁ ଦଳୀୟ କାର୍ଯ୍ୟକାରିଣୀ ବୈଠକର ଆୟୋଜନ କରୁଛି । ପୂର୍ବରୁ ୨୦୧୫ରେ ବାଙ୍ଗାଲୁରୁ ଓ ୨୦୧୬ରେ କୋଝିକୋଡରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା ।