କହ୍ନେୟାଲାଲ ହତ୍ୟା: ଆଜି ଉଦୟପୁରରେ ୧୦ ଘଣ୍ଟା କର୍ଫ୍ୟୁ କୋହଳ

ନୂଆଦିଲ୍ଲୀ,ଏଜେନ୍ସି: ରାଜସ୍ଥାନର ଉଦୟପୁରରେ ଗତମାସ ୨୮ ତାରିଖରେ ହୋଇଥିବା ଟେଲର କହ୍ନେୟାଲାଲ ହତ୍ୟା ମାମଲାରେ ଉଦୟପୁରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ ଅଭିଯୁକ୍ତମାନଙ୍କୁ ଯଦିଓ ଗିରଫ କରିସାରିଛି, ତଥାପି ଉତ୍ତେଜନା ହ୍ରାସ ପାଇନାହିଁ । ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଗତ ୪ ଦିନ ହେବ ଉଦୟପୁରରେ କର୍ଫ୍ୟୁ ଜାରି କରାଯାଇଛି । ଜୁଲାଇ ୧ ଓ ୨ ତାରଖିରେ ଇଣ୍ଟରନେଟ ସେବା ସ୍ଥଗିତ ରଖାଯାଇଥିଲା । କିନ୍ତୁ ପରିସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରୁଥିବାରୁ ଆଜି ୧୦ ଘଣ୍ଟା ପାଇଁ କର୍ଫୁ କୋହଳ କରାଯାଇଛି । ଅଧିକାରୀମାନେ କହିଛନ୍ତି ଯେ, ସ୍ଥିତି ସାଧାରଣ ଅବସ୍ଥାକୁ ଆସୁଛି ।

ଜିଲ୍ଲା ପ୍ରଶାସନ ୭ଟି ଧାନମଣ୍ଡି, ଘଂଟାଧର, ହାତୀପୋଲ, ଅମ୍ବାମାତା, ସୁରଜପୋଲ, ଭୂପାଲପୁର ଓ ସବିନା ଥାନା କ୍ଷେତ୍ରରେ ଲଗାଇଥିବା କର୍ଫ୍ୟୁରେ ଶନିବାର ୪ ଘଣ୍ଟା ପାଇଁ କୋହଳ କରିଥିଲା । ଆଜି ୧୦ ଘଣ୍ଟା ପର୍ଯ୍ୟନ୍ତ କୋହଳ କରିବାକୁ ନିଷ୍ପତ୍ତି ନେଇଛି । ଉଦୟପୁର ଜିଲ୍ଲାପାଳ ତାରାଚାନ୍ଦ ମୀନା କହିଛନ୍ତି ରବିବାର ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ ।