କ୍ୟାପ୍ଟେନ ଅମରିନ୍ଦର ସିଂହ ହେବେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ !

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପରେ ଦେଶର ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ ଜୁଲାଇ ୫ରୁ ଅଧୀସୂଚନା ଜାରି ହେବା ସହ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ୧୯ ପର୍ଯ୍ୟନ୍ତ ଚାଲିବ । ଅଗଷ୍ଟ ୬ରେ ନିର୍ବାଚନ ହେବ ଏବଂ ସେହିଦିନ ହିଁ ଗଣତି ହେବ । ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କେୟୋ ନାୟଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୧ରେ ସରିବ ।

ଉପରାଷ୍ଟ୍ରତି ପଦ ଲାଗି ଏନଡିଏ ତରଫରୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ପ୍ରାର୍ଥୀ ହେବେ । ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରୁ ଅଲଗା ହୋଇ ନିଜର ଏକ ପାର୍ଟି କରିଥିବା ଅମରିନ୍ଦର ସିଂହଙ୍କ ନାମ ଉପରେ ଏନଡିଏରେ ସହମତି ପ୍ରକାଶ ପାଇଥିବା କୁହାଯାଉଛି । ଏଥିସହିତ ନିଜ ପାର୍ଟି ‘ପଞ୍ଜାବ ଲୋକ କଂଗ୍ରେସ’କୁ ବିଜେପି ସହ ଅମରିନ୍ଦର ମିଶାଇ ଦେବେ ବୋଲି ଶୁଣିବାକୁ ମିିଳିଛି ।

ସୂଚନାଯୋଗ୍ୟ, କଂଗ୍ରେସରେ ଥିବା ସମୟରେ ମଧ୍ୟ ଅମରିନ୍ଦର ସିଂହଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଭଲ ସମ୍ପର୍କ ଥିଲା । ଅମରିନ୍ଦର ଏବେ ସର୍ଜରୀ ପାଇଁ ଲଣ୍ଡନ ଯାଇଛନ୍ତି । ଚଳିତ ମାସ ଲଣ୍ଡନରୁ ପଞ୍ଜାବ ଫେରି ଆସିବେ ।