ଘୋଷଯାତ୍ରା ପୂର୍ବରୁ ଅନୁଗୁଳବାସୀଙ୍କ ପାଇଁ ବଡ଼ ଘୋଷଣା

ଅନୁଗୁଳ,ଏନ୍ଏନ୍ଏସ୍: ଦିନିକିଆ ଗସ୍ତରେ ଆସି ଅନୁଗୁଳବାସୀଙ୍କୁ ଉପହାର ଦେଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଣ୍ଟ୍ରାଲ କଲୋନୀର ଜଗନ୍ନାଥ ଏରିଆରେ ଥିବା ସ୍କୁଲ କ୍ୟାମ୍ପସର ଶୁଭ ଉଦଘାଟନ ସହିତ ଭୂମି ପୂଜା ହୋଇଥିଲା । ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୩୦ କୋଟି ଟଙ୍କା । ସେହିପରି ସୁଭଦ୍ରା ଏରିଆରେ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଗୃହର ଉଦ୍‌ଘାଟନ କରିଥିଲେ । କେନ୍ଦ୍ରମନ୍ତ୍ରୀ କହିଥିଲେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ଅଛି ସେଥିପାଇଁ ସେଣ୍ଟ୍ରାଲ ସ୍କୁଲ ଚାଲିବା ସହ ଓଡ଼ିଆ ସ୍କୁଲକୁ ମଧ୍ୟ ଅର୍ଥ ଯୋଗାଇ ଦିଆଯିବ ।

କେନ୍ଦ୍ରୀୟ ବିଦ୍ୟାଳୟ ସହ ଜିଲ୍ଲାବାସୀଙ୍କ ପାଇଁ ମୋଦି ସରକାରଙ୍କ ଫୋକସରେ ରହିଛି ଶିଳ୍ପ ଓ ରୋଜଗାର । ଅଞ୍ଚଳରେ କୋଇଲା ଓ ରେଳବିଭାଗର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସେଥିପାଇଁ ଆଗାମୀ ଦିନରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ । ବିକାଶକୁ ଦୁଇ ଗୁଣ କରିବାକୁ ପ୍ରୟାସ କରାଯିବ । ମୋଦି ସରକାରଙ୍କ ପ୍ରୟାସରେ ଏଫ୍‌ସିଆଇର ପୁନଃଉଦ୍ଧାର ପାଇଁ ଖର୍ଚ୍ଚ ହେବ ୧୩ ହଜାର କୋଟି । ବନ୍ଦ ପଡ଼ିଥିବା ତାଳଚେର ଥର୍ମାଲ ପାଓ୍ବାର ଷ୍ଟେସନ୍‌କୁ ଚାଲୁ କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଛି । ପ୍ରତିବାଦ ଆଳରେ କୋଇଲା ଖଣିଗୁଡ଼ିକୁ ଅଯଥାରେ ବନ୍ଦ ନକରିବାକୁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।