ଉଦୟପୁର: ରାଜସ୍ଥାନ ଉଦୟପୁରର ଟେଲର କହ୍ନେୟା ଲାଲ ହତ୍ୟା ମାମଲାର ଯାଞ୍ଚ ଦାୟିତ୍ୱ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ) ଗ୍ରହଣ କରିଛି । ଉକ୍ତ ମାମଲାରେ ଏନଆଇଏ ଆଜି ମାମଲା ଦାୟର କରିଛି । ଏହାପୂର୍ବରୁ ଉକ୍ତ ଘଟଣାକୁ ଆତଙ୍କବାଦୀ କୃତ୍ୟ ଦର୍ଶାଇ ଯାଞ୍ଚ ଦାୟିତ୍ୱ ଗ୍ରହଣ କରିବାକୁ ଏନଆଇଏକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଥିଲା।
ଉକ୍ତ ମାମଲାର ପ୍ରାରମ୍ଭିକ ଯାଞ୍ଚରେ ରାଜସ୍ଥାନ ପୁଲିସ ଗିରଫ କରିଥିବା ୨ ଅଭିଯୁକ୍ତଙ୍କୁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ପ୍ରଭାବିତ ହେବା କଥା ସାମ୍ନାକୁ ଆସିବା ପରେ ଗୃହ ମନ୍ତ୍ରଣାଳୟ ଗତକାଲି ରାତିରେ ହିଁ ଏକ ଯାଞ୍ଚ ଦଳକୁ ଉଦୟପୁର ପଠାଇଥିଲା । ଆଜି ଏନଆଇଏ ଟିମ୍ ଯାଞ୍ଚ ପାଇଁ କହ୍ନୈୟା ଲାଲଙ୍କ ଦୋକାନରେ ପହଞ୍ଚିଥିଲା ।
ସୂଚନାଯୋଗ୍ୟ, ଉଦୟପୁରରେ ଗତକାଲି ଟେଲର ଭିତରେ ପସି ରିୟାଜ ଅହମ୍ମଦ ନାମକ ଜଣେ ବ୍ୟକ୍ତି ଧାରୁଆ ଅସ୍ତ୍ରରେ କହ୍ନେୟା ଲାଲଙ୍କ ଗଳା କାଟି ହତ୍ୟା କରିଥିଲା । ଅନ୍ୟଜଣେ ବ୍ୟକ୍ତି ଗୌସ ମହମ୍ମଦ ଉକ୍ତ ଘଟଣାର ଭିଡିଓ କରିଥିଲା । ଚିନ୍ତାପୂର୍ଣ୍ଣ ସ୍ଥିତିକୁ ଦୃଷ୍ଟିରେ ରଖି ସାତ ଥାନା କ୍ଷେତ୍ରରେ କର୍ଫ୍ୟୁ ଜାରି ହୋଇଥିଲା । ଅନ୍ୟପଟେ ରାଜସ୍ଥାନର ସମସ୍ତ ୩୩ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା ।