ନୌସେନାରେ ଅଗ୍ନିବୀରଙ୍କ ଭର୍ତ୍ତି ପାଇଁ ଜୁଲାଇ ୧ରୁ ପଞ୍ଜିକରଣ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ଅନ୍ତର୍ଗତ ନୌସେନାରେ ଅଗ୍ନିବୀରଙ୍କ ଭର୍ତ୍ତି ପାଇଁ ତାରିଖ ଘୋଷଣା କରାଯାଇଛି । ସୂଚନାନୁସାରେ, ଜୁଲାଇ ୧ରୁ ଆବେଦନକାରୀ ୨ଟି କ୍ୟାଟେଗେରୀରେ ପଞ୍ଜିକରଣ କରିପାରିବେ । ଏଥିସହିତ ଜୁଲାଇ ୧୫ରୁ ୩୦ ପର୍ଯ୍ୟନ୍ତ ୨୦୨୨ ଅଗ୍ନିବୀର ବ୍ୟାଚ ପାଇଁ ଆବେଦନ କରିହେବ । ଅଗ୍ନିବୀରଙ୍କୁ ଚୟନ କରିବା ପାଇଁ ପରିକ୍ଷା ଓ ଶାରୀରିକ ସ୍ୱାସ୍ଥ୍ୟ ପରୀକ୍ଷଣ ଅକ୍ଟୋବରରେ ହେବ ।

ସୂଚନାଯୋଗ୍ୟ, ନୌସେନାରେ ୨ ପ୍ରକାର ଅଗ୍ନିବୀରଙ୍କୁ ଭର୍ତ୍ତି କରାଯିବ । ପ୍ରଥମଟି ହେଲା ଅଗ୍ନିବୀର ଏସଏସଆର(ଅଗ୍ନିବୀର ସିନିୟର ସେକେଣ୍ଡରୀ ରିକ୍ରୁଟମେଣ୍ଟ) ଅନ୍ତର୍ଗତ ଯୁକ୍ତ ୨ ପାସ ଯୁବକ ଆବେଦନ କରିପାରିବେ । ଏଥିରେ କେବଳ ଯୁକ୍ତ ୨ ବିଜ୍ଞାନ ଛାତ୍ର୍ର ଆବେଦନ କରିବାର ସୁଯୋଗ ପାଇବେ । ଦ୍ୱିତୀୟରେ ଅଗ୍ନିବୀର ଏମଆର ଅନ୍ତର୍ଗତ ଦଶମ ପାସ ଛାତ୍ର ଆବେଦନ କରିପାରିବେ ।