ପାଟଣାଗଡ଼,ଏନ୍ଏନ୍ଏସ୍: ଶରତ ପଟ୍ଟନାୟକ ପିସିସିର ନୂଆ ସଭାପତି ଭାବେ ନିଯୁକ୍ତି ପାଇଲା ପରେ କଂଗ୍ରେସ ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ଆଜି ତାଙ୍କୁ ନିଜ ଜିଲ୍ଲାରୁ ହିଁ ଝଟକା ଲାଗିଛି । ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୪ନଂ ଜୋନ ଜିଲ୍ଲା ପରିଷଦ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଲରମ୍ଭା ଅଞ୍ଚଳର ଜଣାଶୁଣା ନେତା ଦୁର୍ଯ୍ୟୋଧନ ଭୁଏ(କାଲୁ) ୫୦ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି । ପୂର୍ବରୁ ସେ ନରସିଂହ ମିଶ୍ରଙ୍କ ଦୃଢ଼ ସମର୍ଥକ ଥିଲେ । ଦୁର୍ଯ୍ୟୋଧନ ୨୦୧୭ ଜିଲ୍ଲା ପରିଷଦ ନିର୍ବାଚନରେ ମଧ୍ୟ ଲଢ଼ିଥିଲେ । କଂଗ୍ରେସର ଦିନକୁଦିନ ବିପର୍ଯ୍ୟୟ, ନେତାଙ୍କ ଅସହଯୋଗ ଓ ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ିଥିବା ଦୁର୍ଯ୍ୟୋଧନ ପ୍ରକାଶ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବ ଓ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ବିଜେଡି ଦଳରେ ଯୋଗ ଦେଇଛନ୍ତି । ଲରମ୍ଭାରେ ବ୍ଲକ ଅଧ୍ୟକ୍ଷ ନୀଳକଣ୍ଠ ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।