ପିକ୍‌ଅପ୍‌ ଭ୍ୟାନ ଧକ୍କାରେ ମାଇହାତୀ ଗୁରୁତର, ହାତୀର ଚିକିତ୍ସା ପାଇଁ ଘଟଣାସ୍ଥଳ ଅଭିମୁଖେ ସ୍ୱତନ୍ତ୍ର ଡାକ୍ତରୀ ଦଳ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ବନଖଣ୍ଡ ସୀମାନ୍ତବର୍ତ୍ତୀ ବଂଜାରି ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ୨୩ ଜଣିଆ ହାତୀ ପଲ ରାସ୍ତା ପାର ହେଉଥିଲେ। ଏହି ସମୟରେ ଗୋଟିଏ ମାଈ ହାତୀକୁ ପିକ୍‌ଅପ୍‌ ଭ୍ୟାନ ଧକ୍କା ଦେଇଥିଲା। ଫଳରେ ହାତୀ ଗୋଡ଼ରେ ଆଘାତ ଲାଗିବାରୁ ସେ ପଡି ଯାଇଥିବା ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ ଦୁର୍ଘଟଣା ଘଟାଇଥିବା ପିକ୍‌ଅପ୍‌ ଭ୍ୟାନକୁ ବନବିଭାଗ ଜବତ କରିବା ସହ ଚାଳକକୁ ମଧ୍ୟ ଅଟକ ରଖାଯାଇଛି। ତେବେ ଜମନକିରା ଠାରେ କ୍ୟାମ୍ପ କରି ରହିଥିବା ରାସ୍ତା ନିର୍ମାଣକାରି ସଂସ୍ଥା ପୁଞ୍ଚଲୟେଡ଼ କନଷ୍ଟ୍ରକସନର ଏହି ପିକ୍‌ଅପ୍ ଭ୍ୟାନଟି ବୋଲି ଜଣାପଡିଛି।

ଅସୁସ୍ଥ ହାତୀ ଦେବଗଡ଼ ବନଖଣ୍ଡ ସୀମାନ୍ତ ବାମରା ବନ୍ୟପ୍ରାଣୀ ଡିଭିଜନ ଜମନକିରା ସେକ୍ସନ ଟିକଲିପଡା ବିଟ ଅନ୍ତର୍ଗତ ବଳଦିଆ ଗ୍ରାମ ନିକଟସ୍ଥ ଜଙ୍ଗଲରେ ରହୁଥିବା ବେଳେ ବନ କର୍ମଚାରୀ ମାନେ ହାତୀଟିକୁ ଜଗି ରହିଛନ୍ତି। ହାତୀଟିର ଚିକିତ୍ସା ପାଇଁ ରାଉରକେଲାରୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ବଳଦିଆ ଗ୍ରାମ ଅଭିମୁଖେ ବାହାରିଥିବା ଜଣାପଡ଼ିଛି। ସେହିପରି ଦେବଗଡ଼ ବନଖଣ୍ଡ ଅଧିକାରୀ ମଗର ଧନାଜୀ ରାଓସୋ ସଦଳବେଳେ ଘଟଣା ସ୍ଥଳ ଅଭିମୁଖେ ବାହାରିଥିବା ସୂଚନା ମିଳିଛି।