ବିଜୟୱାଡା ଜାତୀୟ ରାଜପଥରେ ଡ୍ରାଇଭରକୁ ଗଛରେ ବାନ୍ଧି ସାଢେ ୩ ଲକ୍ଷ ଲୁଟ୍

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଥାନା ଅନ୍ତର୍ଗତ ସୁଗୁଡା ଗ୍ରାମ ନିକଟସ୍ଥ କମଳା ବଗିଚା ନିକଟସ୍ଥ ରାଞ୍ଚି- ବିଜୟୱାଡା ରାସ୍ତାରେ ଏକ ପିକ୍‌ଅପ୍‌ ଭ୍ୟାନରୁ ସାଢେ ୩ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ ହୋଇଛି। ଏକ ପଲସରରେ ଆସି ୨ ଜଣ ଯୁବକ ଡ୍ରାଇଭର ଠାରୁ ନଗଦ ସାଢେ ୩ ଲକ୍ଷ ଟଙ୍କା ଓ ମୋବାଇଲ ଲୁଟିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ରେଙ୍ଗାଲିଡ୍ୟାମ ଅଞ୍ଚଳର ବ୍ୟବସାୟୀ ଅଙ୍କୁର ଅଗ୍ରୱାଲ ନିଜ ପିକ୍‌ଅପ୍ ଭ୍ୟାନ ଡ୍ରାଇଭର ଟିକନ ହେମ୍ରାମ୍ ହାତରେ ନଗଦ ଅର୍ଥ ଦେଇ ସମ୍ବଲପୁର ଜିଲ୍ଲା କ୍ଷେତରାଜପୁରକୁ କିରାନା ସାମଗ୍ରୀ ଆଣିବାକୁ ପଠାଇଥିଲେ।

ପୂର୍ବାହ୍ନ ୧୦ଟା ସମୟରେ ସୁଗୁଡା ଗ୍ରାମ ନିକଟସ୍ଥ କମଳା ବଗିଚା ନିକଟସ୍ଥ ରାଞ୍ଚି – ବିଜୟୱାଡା ଜାତୀୟ ରାଜପଥରେ ଦୁଇଜଣ ଯୁବକ ଏକ ପଲସର ଯୋଗେ ଆସି ଅଟକାଇ ଡ୍ରାଇଭର ଟିକନ ହେମ୍ରାମ୍‌ଙ୍କ ନିକଟରେ ଥିବା ସାଢେ ୩ ଲକ୍ଷ ଟଙ୍କା ଓ ମୋବାଇଲ ଲୁଟି ନେବା ସହ ରାସ୍ତା କିଛି ଦୁରୁ ଭିତରକୁ ନେଇ ରସି ସାହାଯ୍ୟରେ ଗଛରେ ବାନ୍ଧି ଫେରାର ହୋଇଯାଇଥିବା ଡ୍ରାଇଭର ଟିକନ ପ୍ରକାଶ କରିଛି। ସୂଚନା ପାଇ ଘଟଣାସ୍ଥଳରେ ଦେବଗଡ଼ ଥାନା ପୁଲିସ ଏସ୍‌ପି ରାଜକିଶୋର ପାଇକରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।