ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ମା’ ରମ୍ଭା ଦେବୀଙ୍କ ଯାତ୍ରା ସମ୍ପନ୍ନ

ଦେବଗଡ଼,ଏନ୍ଏନ୍ଏସ୍: ତିଳେଇବଣି ବ୍ଲକ୍‌ କଲଣ୍ଡା ପଞ୍ଚାୟତ ବାସୁଦେବପୁର ଗ୍ରାମ ନିକଟସ୍ଥ ରମ୍ଭଦେବୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପ୍ରତିବର୍ଷ ଜ୍ଵଷ୍ଠ ତ୍ରୟୋଦଶୀ ରେ ଅନୁଷ୍ଠିତ ହେଉଥିବା ଜିଲ୍ଲାର ପ୍ରସିଦ୍ଧ ରମ୍ଭଦେବୀ ଯାତ୍ରା ଆଜି ସମ୍ପନ୍ନ ହୋଇଯାଇଛି। ଆଜି ମଧ୍ୟାହ୍ନରେ ପୂଜକ ସୁଗୁଡା ସ୍ଥିତ ରମ୍ଭାଦେବୀଙ୍କ ଆସ୍ଥାନରେ ପୂଜାର୍ଚ୍ଚନା ପରେ ଢୋଲ ମାଦଳ ତାଳେତାଳେ ରମ୍ଭାଦେବୀ ସଂରକ୍ଷିତ ଜଙ୍ଗଲର ପର୍ବତ ଗୁମ୍ପା ମଧ୍ୟରେ ଥିବା ମା’ଙ୍କ ପୀଠରେ ପହଞ୍ଚି ମା’ଙ୍କୁ ଧୂପ ଦୀପ ଓ ନୈବେଦ୍ୟ ଅର୍ପଣ ପୂର୍ବକ ପୂଜାର୍ଚନା କରିଥିଲେ। ଏହି ଅବସରରେ ଶତାଧିକ ମାନସିକ ଧାରୀ ଶ୍ରଦ୍ଧାଳୁଙ୍କ ପକ୍ଷରୁ ଶହଶହ ବୋଦା ଓ କୁକୁଡ଼ା ବଳି ଭୋଗ ଅର୍ପଣ କରାଯାଇଥିଲା।

ପ୍ରାକୃତିକ ପରିବେଶ ମଧ୍ୟରେ ଅନୁଷ୍ଠିତ ଏହି ଯାତ୍ରାରେ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଆସି ମା‘ ରମ୍ଭାଦେବୀଙ୍କ ଆଶୀର୍ବାଦ କାମନା କରିଥିଲେ। ଶ୍ରଦ୍ଧାଳୁଙ୍କ ଗହଳିକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ପାଇଁ ଦେବଗଡ଼ ଥାନା ପୁଲିସ ପକ୍ଷରୁ ବ୍ୟାପକ ପୁଲିସ ବଳ ମୃତୟନ କରାଯାଇଥିଲା। ସେହିପରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୀଠକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳ ଓ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯଇଥିଲା। ସେହିପରି ବହୁ ସଂଖ୍ୟକ ଉଠା ଦୋକାନୀ ପୀଠ ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ଓ ଖେଳନା ଦୋକାନ ଖୋଲି ପସରା ମେଲାଇଥିବା ବେଳେ ଭଲ ବ୍ୟବସାୟ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା।