ନବନିର୍ବାଚିତ ରାଜ୍ୟସଭା ସାଂସଦଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ପାଟଣାଗଡ,ଏନ୍ଏନ୍ଏସ୍: ନବ ନିର୍ବାଚିତ ସାଂସଦ ନିରଞ୍ଜନ ବିଶି ଆଜି ପାଟଣାଗଡରେ ପହଞ୍ଚିବା ମାତ୍ରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଜଣାଯାଇଛି। ଆଜି ପୂର୍ବାହ୍ଣ ୧୦ଟା ବେଳେ ଶ୍ରୀ ବିଶି ପାଟଣାଗଡ ସହର ମଧ୍ୟକୁ ପ୍ରବେଶ କରିଥିଲେ। ସେଠାରେ ତାଙ୍କୁ ରାମପୁରଠାରୁ ଏକ ସୁସଜ୍ଜିତ ଗାଡିରେ ଏକ ଶୋଭାଯାତ୍ରାରେ ତାଙ୍କୁ ପାଛୋଟି ଅଣାଯାଇଥିଲା । ରାସ୍ତାରେ ପଞ୍ଚମୁଖୀ ହନୁମାନ ମନ୍ଦିର ସମେତ, ରାମଜୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର ଏବଂ ସମଲେଶ୍ୱରୀ ମନ୍ଦିରରେ ଦର୍ଶନ କରି ଶ୍ରୀ ବିଶି ଧୁମାଭଟା ଛକଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିଥିଲେ ।

ପରେ ପରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ପାଟଣାଗଡ ଶାଖା ପକ୍ଷରୁ ସୁଭଦ୍ରା ଭବନଠାରେ ସଭାପତି ଅଷ୍ଟରତ୍ନ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସେ ଯୋଗ ଦେଇଥିଲେ । ଚାଷୀ, ମୂଲିଆ, ଶ୍ରମିକ, ଦଳିତ, ପଛୁଆ ବର୍ଗ, ଆଦିବାସୀଙ୍କ ସ୍ୱରକୁ ସେ ଦିଲ୍ଲୀ ଦରବାରରେ ଉପସ୍ଥାପନ କରିବାର ପ୍ରତିଶୃତି ଦେବା ସହ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଜନହିତକର ଯୋଜନା ସବୁକୁ ସେ ଲୋକଙ୍କ ପାଖରେ ପହଞ୍ଚାଇବା ପ୍ରୟାସ କରିବେ ବୋଲି ଶ୍ରୀ ବିଶି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ବିମଳେନ୍ଦୁ ବିକାଶ ମେହେର, ଚନ୍ଦ୍ରମଣି ଶବର, ଲକ୍ଷେଘର ଗଣ୍ଡା ସମାଜ ସଭାପତି ଦିଗସନ ନନ୍ଦ, ଆଦିବାସୀ କଲ୍ୟାଣ ସଂଘର ଉପଦେଷ୍ଟା ପୁରୁଷୋତ୍ତମ ଧରୁଆ ପ୍ରମୁଖ ମଞ୍ଚାସୀନ ଥିଲେ ।

ଆଦିବାସୀ ସଂଘ ବ୍ୟତୀତ ଲକ୍ଷେଘର ଗଣ୍ଡା ସମାଜ, ଉପଖଣ୍ଡ ସାମ୍ବାଦିକ ସଂଘ, ଯୁବ ପତ୍ରକାର ସଂଘ, ପ୍ରେସ କ୍ଲବ, କେନ୍ଦୁପତ୍ର କର୍ମଚାରୀ ସଂଘ, ସରପଞ୍ଚ ସଂଘ ଇତ୍ୟାଦି ନବ ନିର୍ବାଚିତ ସାଂସଦଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଗିରିଧାରୀ ଭୋଇ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ମନବୋଧ ବରିହା, ଲଳିତ ମଲ୍ଲିକ, ଘନ ଧରୁଆ ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ଯତ୍ନବାନ ଥିଲେ ।