ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ପୁଲିସ ହାତରେ ପଡିଛି ବିପୁଳ ପରିମାଣର ମାଓ ସାମଗ୍ରୀ। ଜବତ ସାମଗ୍ରୀ ମଧ୍ୟରେ ରହିଛି ୧୭ଟି ଜିଲେଟିନ ଷ୍ଟିକ,ହାତ ତିଆରି ଇନସାସ ମାଗାଜିନ,ବହୁ ମାତ୍ରାରେ ଅପ୍ରସ୍ତୁତ ମାଗାଜିନ, ୟୁନିଫର୍ମ, ଔଷଧ,ଗର୍ଭ ନିରୋଧକ ବଟିକା, ସୋଲାର ପ୍ଲେଟ,ମାଓବାଦୀ ପୁସ୍ତିକା ଭଳି ଜିନିଷ। ଗୋଚ୍ଛାପଡା ଥାନା ଅନ୍ତର୍ଗତ ସଶୀକେତା ଗ୍ରାମରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ପୁଲିସ ପକ୍ଷରୁ କୁମ୍ବିଂ ଅପରେସନ ବେଳେ ଏ ସବୁ ସାମଗ୍ରୀ ଜବତ ହୋଇଥିବା କନ୍ଧମାଳ ଏସପି ବିନିତ ଅଗ୍ରଓ୍ଵ।ଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସ୍ଥାନୀୟ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି କହିଛନ୍ତି, ନିର୍ଭର ଯୋଗ୍ୟ ସୂତ୍ରରୁ ଖବର ପାଇ ପୁଲିସ, ଏସ୍ଓଜି ଏବଂ ଡିଭିଏଫ୍ ଯବାନଙ୍କ ଦ୍ବାରା ମିଳିତ କୁମ୍ବିଂ ଅପରେସନ କରାଯାଇଥିଲା। ଅପରେସନ ବେଳେ ସଶୀକେତା ଗ୍ରାମ ନିକଟରେ ଜଙ୍ଗଲ ମଧ୍ୟରେ ଥିବା ଏକ ଗୃମ୍ଫା ଭିତରେ ଏହି ସବୁ ସାମଗ୍ରୀ ଲୁଚାଇ ରଖାଯାଇଥିବା ଦେଖାଯାଇଥିଲା। ସର୍ଚ୍ଚ ଅପରେସନରୁ ବିପୁଳ ପରିମାଣର ଗର୍ଭ ନିରୋଧକ ବଟିକା ଓ ଗର୍ଭ ପରୀକ୍ଷଣ କିଟ ମିଳିବା ଘଟଣାରୁ ମାଓ କ୍ୟାମ୍ପ ମାନଙ୍କରେ ମହିଳା କ୍ୟାଡର ମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ସ୍ପଷ୍ଟ ହେଉଛି ବୋଲି ଏସପି କହିଛନ୍ତି। ମାଓବାଦୀ ମାନେ ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଅନୁମାନ କରାଯାଉଥିଲେ ବି ପୁଲିସ ନଜରରେ କୌଣସି ମାଓବାଦୀ ପଡିନାହାନ୍ତି। ଲାଲ ବାହିନୀର କେକେବିଏନ୍ ସଂଗଠନ କାର୍ଯ୍ୟ କରୁଥିବା କହିଛନ୍ତି ଏସପି। ପୁଲିସ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଜାରି ରହିଛି।