ନୂଆଦିଲ୍ଲୀ,ଏଜେନ୍ସି: ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀର ଯବାନମାନଙ୍କୁ ପୁଣି ଏକ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀର ଯବାନମାନେ ୩ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ନିହତ ହୋଇଥିବା ଆତଙ୍କବାଦୀମାନେ ଲଶ୍କର-ଏ-ତଇବାର ସଦସ୍ୟ ଥିଲେ। କଶ୍ମୀର ଆଇଜିପି ବିଜୟ କୁମାର ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଆଇଜିପି ବିଜୟ କୁମାର କହିଛନ୍ତି ଯେ, ପୁଲୱାମା ଜିଲ୍ଲା ଡ୍ରାବଗାମ ଅଞ୍ଚଳରେ ଆତଙ୍କାବଦୀଙ୍କ ବିରୋଧରେ ସୁରକ୍ଷାବାହିନୀର ଏନ୍କାଉଣ୍ଟର ହୋଇଥିଲା। ସୁରକ୍ଷାବାହିନୀର ଯବାନମାନେ ଆତଙ୍କବାଦୀ ସଂଗଠନ ‘ଲଶ୍କର-ଏ-ତଇବା’ର ୩ ଜଣ ସଦସ୍ୟଙ୍କୁ ନିହତ କରିଛନ୍ତି। ଏଥିରୁ ଜଣେ ଆତଙ୍କବାଦୀ ଜୁନାଇଦ ଶିରଗୋରଜୀ ହାତରେ ଆମର ଯବାନ ରିୟାଜ ଅହମଦ ଗତମାସ ୧୩ ତାରିଖରେ ସହିଦ ହୋଇଥିଲେ।
ଗତକାଲି କୁଲଗାମର ଖଣ୍ଡୀପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଚଳପ୍ରଚଳ କରିବା ନେଇ ସୁରକ୍ଷା ବାହିନୀକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଯମାନମାନେ ଘଟଣାସ୍ଥଳକୁ ଘେରାବନ୍ଦୀ କରିଥିଲେ। ତେବେ ହିଜବୁଲର ଆତଙ୍କବାଦୀ ଯବାନଙ୍କୁ ଦେଖି ଛାନିଆ ହୋଇଯାଇଥିଲା। ସେ ପ୍ରଥମେ ଗୁଳି କରିଥିଲା। କିନ୍ତୁ ଯବାନଙ୍କ ପାଲଟା ଜବାବରେ ନିହତ ହୋଇଥିଲା। ସୁରକ୍ଷାବାହିନୀ ଘଟଣାସ୍ଥଳରୁ ବନ୍ଧୁକ ଓ ଗୁଳି ଜବତ କରିଥିଲେ।