ଲଖନଉ,ଏଜେନ୍ସି: ଶୁକ୍ରବାର ‘ଜୁମେ’ର ନମାଜ ପରେ ଉତ୍ତର ପ୍ରଦେଶ ସମେତ ୩ଟି ରାଜ୍ୟରେ ହିଂସାକାଣ୍ଡ ଦେଖାଯାଇଛି। ଏହି ହିଂସାକାଣ୍ଡର ୨ୟ ଦିନରେ ପୁଲିସ ଓ ପ୍ରଶାସନ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଉତ୍ତରପ୍ରଦେଶର ୯ଟି ଜିଲ୍ଲାରେ ୧୩ଟି ମାମଲା ରୁଜୁ କରାଯାଇଥିବା ବେଳେ ୨୫୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପଶ୍ଚିମବଙ୍ଗରେ ୫୩ ଅଭିଯୁକ୍ତଙ୍କୁ ଜେଲ ପଠାଇ ଦିଆଯାଇଛି। ମୁର୍ଶିଦାବାଦରେ ହିଂସାରେ ପୁଲିସ ଚଢ଼ଉ କରୁଛି। ସେହିପରି ଝାଡ଼ଖଣ୍ଡରେ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛି। ରାଞ୍ଚିରେ କର୍ଫ୍ୟୁ ଲାଗୁ କରାଯାଇଛି।
ଉତ୍ତର ପ୍ରଦେଶର ୯ ଜିଲ୍ଲା ପ୍ରୟାଗରାଜ, ମୁରାଦାବାଦ, ସହାରନପୁର, ଫିରୋଜାବାଦ, ଆମ୍ବେଦକରନଗର, ହାଥରସ, ଆଲିଗଡ଼, ଜାଲୌନ ଓ ଲଖୀମପୁର ଖୀରୀରେ ଶୁକ୍ରବାର ହିଂସା ହୋଇଥିଲା। ପୁଲିସ ମୋଟ ୧୩ଟି ମାମଲା ରୁଜୁ କରିଛି। ଡିଜିପି କାର୍ଯ୍ୟାଳୟ ଅନୁସାରେ ଶନିବାର ରାତି ୮ଟା ପର୍ଯ୍ୟନ୍ତ ଫିରୋଜବାଦରେ ୧୩, ଆଲିଗଡ଼ରେ ୩, ହାଥରସରେ ୫୦, ମୁରାଦାବାଦରେ ୧୭, ଆମ୍ବେଦକରନଗରରେ ୨୮, ସହାରନପୁରରେ ୩ଟି ମାମଲାରେ ୬୪, ପ୍ରୟାଗରାଜରେ ୩ଟି ମାମଲାରେ ୬୮ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେହିଭଳି ଜାଲୌନରେ ୩ ଜଣ ଗିରଫ ହୋଇଥିବା ବେଳେ ଲକ୍ଷ୍ମୀପୁର ଖୀରୀରେ କାହାରିକୁ ଗିରଫ କରାଯାଇନାହିଁ।
ସୂଚନାଯୋଗ୍ୟ, ଶୁକ୍ରବାର ଉତ୍ତର ପ୍ରଦେଶର ପ୍ରୟାଗରାଜ, ମୁରଦାବାଦ, ସହାରନପୁରରେ ନୂପୁର ଶର୍ମାଙ୍କ ବୟାନଙ୍କ ବିରୋଧରେ ପ୍ରଦର୍ଶନ ହୋଇଥିଲା। ହଜାର ହଜାର ସଂଖ୍ୟାରେ ପ୍ରଦର୍ଶନକାରୀ ରାଜରାସ୍ତାକୁ ଓହ୍ଲାଇଥିଲେ। ପଥରମାଡ଼ ଓ ଅଗ୍ନିକାଣ୍ଡ କରିଥିଲେ। ସେହିପରି ସରକାରୀ ଓ ଘରୋଇ ସଂପତ୍ତି କ୍ଷତି କରିଥିଲେ। ପ୍ରଦର୍ଶନକାରୀଙ୍କୁ ନିୟନ୍ତ୍ରିତ କରିବା ଲାଗି କିଛି ସ୍ଥାନରେ ପୁଲିସକୁ ଲାଠିଚାର୍ଜ, ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା। ହିଂସା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଏକ ବୈଠକ ଡାକିଥିଲେ। ଏହି ବୈଠକରେ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଯେ, ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ।