୫ଟି ସ୍କୁଲରେ ନିମ୍ନ ମାନର କାମ ହେତୁ ଧାରଣାରେ ବସିଲେ ସ୍କୁଲର ପୁରାତନ ଛାତ୍ର

ସଇଁନ୍ତଲା,ଏନ୍ଏନ୍ଏସ୍: ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟରେ ଥିବା ସ୍କୁଲ ମାନଙ୍କୁ ୫ଟି ଅଧୀନକୁ ନେବା ପାଇଁ ଯୋଜନା କରିଛନ୍ତି। ହେଲେ ଠିକାଦାର ମାନଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ କେତେକ ସ୍ଥାନରେ ଫେଲ୍‌ ମାରିଛି ୫ଟି ବ୍ୟବସ୍ଥା। ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ଅନ୍ତର୍ଗତ କରମତଲା ବୁଢ଼ାରଜା ହାଇ ସ୍କୁଲରେ ୫ଟି କାମ ନିମ୍ନମାନର ହେଉଥିବା ଅଭିଯୋଗ ନେଇ ଆଜି ସ୍କୁଲ ସମ୍ମୁଖରେ ଧାରଣାରେ ବସିଥିଲେ ସ୍କୁଲର ପୁରାତନ ଛାତ୍ର। ବହୁ ଦିନ ଆଗରୁ ସ୍କୁଲର ପୂରାତନ ଛାତ୍ରଛାତ୍ରୀ ସ୍କୁଲରେ ୫ଟି କାମ ଅତି ନିମ୍ନମାନର ହେଉଥିବା ନେଇ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଚମନଲାଲ ପଧାନକୁ ଅଭିଯୋଗ କରିଥିଲେ ସୁଦ୍ଧା ଯନ୍ତ୍ରୀ ଜଣକ କର୍ଣ୍ଣପାତ କରୁନଥିଲେ। ଯାହା ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଅଭିଯୋଗ ମୁତାବକ ଠିକାଦାର ହରେକୃଷ୍ଣ ବେହେରା ଶ୍ରେଣୀ ପ୍ରକୋଷ୍ଠ, ପୁରୁଣା କାନ୍ଥ ଓ ବାଡ଼କୁ ରଙ୍ଗ ଦେଇ ନୂଆ ଭଳି ସଜାଡ଼ି ଦେଇଛନ୍ତି। ସେହିପରି ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ବେଳେ କାନ୍ଥ ନିର୍ମାଣ କାର୍ଯ୍ୟରେ ଛୋଟ ଅଖାରେ ଢୀମା ଓ ଗୋଡି ଦେଇ ଚଟାଣ ମେଜିଆ କାର୍ଯ୍ୟ କରାଯାଇଛି ବୋଲି ପୁରାତନ ଛାତ୍ର ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ସଇଁନ୍ତଲା ବିଡ଼ିଓ ଚନ୍ଦ୍ରମଣୀ ନାଗ ଖବରପାଇ ଘଟଣାସ୍ଥଳକୁ ଆସି ଆନ୍ଦୋଳନକାରୀ ମାନଙ୍କ ସହ ବୁଝାସୁଝା କରିଥିବା ପରେ ଆନ୍ଦୋଳନକାରୀ ମାନେ ଆନ୍ଦୋଳନରୁ ହଟିଥିଲେ। ସମସ୍ତ କାର୍ଯ୍ୟର ତଦାରଖ କରିବା ପରେ ବିଲ୍‌ ପାସ୍‌ ହେବ ବୋଲି କହିଛନ୍ତି।