ଅର୍ଥ ମନ୍ତ୍ରଣାଳୟର ଆଇକନିକ ସପ୍ତାହ ଉତ୍ସବର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥ ମନ୍ତ୍ରଣାଳୟ ଓ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଆଇକନିକ ସପ୍ତାହ ଉତ୍ସବର ଉଦଘାଟନ କରିବେ। ଦିଲ୍ଲୀର ବିଜ୍ଞାନ ଭବନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଆଜାଦି କା ଅମୃତ ମହୋତ୍ସବର ଏକ ଅଂଶ ଭାବେ ଏହି ଆଇକନିକ ସପ୍ତାହ ଆଜିଠୁ ୧୧ ତାରିଖ ଯାଏଁ ଚାଲିବ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଏହି କାର୍ଯ୍ୟକ୍ରମରେ କ୍ରେଡିଟ ସଂଯୋଗ ସରକାରୀ ଯୋଜନା ପାଇଁ ଏକ ନ୍ୟାସନାଲ ପୋର୍ଟାଲ ଲଞ୍ଚ କରିବେ ମୋଦୀ। ଯାହାର ନାମ ହେଉଛି ଜନ ସାମର୍ଥ ପୋର୍ଟାଲ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସହଜ ଡିଜିଟାଲ ପ୍ରକ୍ରିୟା ମାଧ୍ୟମରେ ହିତାଧିକାରୀଙ୍କୁ ସଠିକ୍ ପ୍ରକାରର ସରକାରୀ ସୁବିଧା ଯୋଗାଇ ଦେବା। ଯୋଜନା ଜରିଆରେ ହିତାଧିକାରୀଙ୍କ ପାଖରେ ସିଧାସଳଖ ପହଞ୍ଚିବା।

ଏହା ସହିତ ପ୍ରଧାନମନ୍ତ୍ରୀ ଏକ ଡିଜିଟାଲ ପ୍ରଦର୍ଶନୀକୁ ଉଦଘାଟନ କରିବେ। ଯେଉଁଥିରେ ଗତ ଆଠ ବର୍ଷ ମଧ୍ୟରେ ଦୁଇ ମନ୍ତ୍ରଣାଳୟର ଯାତ୍ରା ବିଷୟରେ ରହିଛି। ଏଥିସହ ୧ ଟଙ୍କିଆ, ୨ ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଏବଂ ୨୦ ଟଙ୍କିଆ ସ୍ବତନ୍ତ୍ର ମୁଦ୍ରା ରିଲିଜ କରିବେ। ଏହି ମୁଦ୍ରା ଗୁଡ଼ିକରେ ଏକେଏଏମ୍‌ର ଲୋଗୋ ରହିବ। ଏହି ମୁଦ୍ରା ଦୃଷ୍ଟିହୀନ ବ୍ୟକ୍ତିଙ୍କ ପାଇଁ ଚିହ୍ନିବା ସହଜ ହେବ। ଏହି କାର୍ଯ୍ୟକ୍ରମ ଦେଶର ୭୫ଟି ସ୍ଥାନରେ ଏକକାଳୀନ ଆୟୋଜିତ ହେବ। ପ୍ରତ୍ୟେକ ସ୍ଥାନ ମୁଖ୍ୟ ସ୍ଥାନ ସହିତ ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ ଯୋଡି ହେବେ।