ନୂଆଦିଲ୍ଲୀ,ଏଜେନ୍ସି: ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ଙ୍କ ପିଛା ଛାଡୁନାହିଁ ଅଡୁଆ। ଇଡି ସ୍କାନରେ ସ୍ବାସ୍ଥ୍ୟମନ୍ତ୍ରୀ। ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ଙ୍କ ଘରେ ଇଡି ରେଡ୍ ମାରିଛି। ହାୱାଲା କୋଲକାତାର ଏକ କମ୍ପାନି ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଚଢ଼ାଉ ହୋଇଥିବା ସୂଚନା। ଅର୍ଥ ହେରଫେର ଅଭିଯୋଗରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ଆଜି (ସୋମବାର) ପୁଣି ରେଡ୍ ହୋଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଗୋଟିଏ ଟିମ୍ ତାଙ୍କ ଘରେ ସକାଳୁ ପହଞ୍ଚି ଛାନଭିନ କରିଛି। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ବ୍ୟତୀତ ଆଉ କିଛି ସ୍ଥାନରେ ମଧ୍ୟ ଚଢ଼ଉ ହୋଇଛି। ହାୱାଲା ଅପରେଟରଙ୍କ ଜରିଆରେ ସତ୍ୟେନ୍ଦ୍ର ଜୈନଙ୍କ କମ୍ପାନୀ କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ଇଡି ଜାଣିବାକୁ ପାଇଛି। ଏଥିପାଇଁ ଇଡି ତାଙ୍କୁ ମଇ ୩୦ରେ ଗିରଫ କରିଥିଲା। ଜୁନ ୯ ଯାଏ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତକୁ ନେଇଛି।
ମାମଲାର ଅଧିକ ତଦନ୍ତ ଆବଶ୍ୟକତା ଦର୍ଶାଇ ଜୈନଙ୍କୁ ଜେରା ପାଇଁ ୧୪ ଦିନିଆ ରିମାଣ୍ଡ ଆବେଦନ କରିଥିଲା ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଖଣ୍ଡପୀଠ ଜୈନଙ୍କ ଜାମିନ ଖାରଜ କରିବା ସହ ଅଧିକ ପଚରାଉଚରା ପାଇଁ ଇଡି ହେପାଜତକୁ ପଠାଇଥିଲେ। ପୂର୍ବରୁ ମଧ୍ୟ ଏକାଧିକ ଥର ଇଡି ଜେରାର ସମ୍ମୁଖୀନ ହୋଇ ସାରିଥିଲେ ଜୈନ। ଆର୍ଥିକ ବିନିଯୋଗ ମାମଲାରେ ସନ୍ତୋଷଜନକ ଉତ୍ତର ନଦେଇ ପାରିବାରୁ ତାଙ୍କୁ ଗିରଫ କରାଯାଇଥିଲା।