ଡେରାଡୁନ,ଏନ୍ଏନ୍ଏସ୍: ଉତ୍ତରାଖଣ୍ଡର ପିଥୋରାଗଡ଼ରେ କୈଳାଶ-ମାନସରୋବର ରାସ୍ତାରେ ଭାରତ-ଚୀନ ସୀମା ପାଖରେ ଏକ କଟକଣା ଅଞ୍ଚଳରେ ଲଖନଉର ମହିଳା ନିଜକୁ ପାର୍ବତୀଙ୍କର ଅବତାର କହିଛନ୍ତି। ଏଥି ସହିତ ସେ ସେହି ସ୍ଥାନ ଛାଡ଼ିବାକୁ ମଧ୍ୟ ମନା କରିଛନ୍ତି। ମହିଳା ଜଣକ କହିଛନ୍ତି ଯେ, ସେ କୈଳାଶ ପର୍ବତରେ ରହୁଥିବା ଭଗବାନ ଶିବଙ୍କୁ ବିବାହ କରିବେ। ମହିଳାଙ୍କ ନାମ ହରମିନ୍ଦର କୌର ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି।
ମହିଳା ଜଣକ ଏସଡିଏମ୍ ଧାରଚୁଲାରୁ ୧୫ ଦିନର ଅନୁମତିରେ ନିଜର ମା’ଙ୍କ ସହିତ ଗୁଞ୍ଜି ଯାଇଥିଲେ। ଗତ ମେ’ ମାସ ୨୫ ତାରିଖରେ ତାଙ୍କର ଅନୁମତି ଶେଷ ହୋଇଯାଇଛି। ଗୁଞ୍ଜି ଇନରଲାଇନ ଅଞ୍ଚଳରେ ହୋଇଥିବାରୁ ସ୍ୱତନ୍ତ୍ର ଅନୁମତି ଦରକାର ପଡ଼ିଥାଏ। ପିଥେରାଗଡ଼ର ଏସ୍ପି କହିଛନ୍ତି ଯେ, କଟକଣା ଅଞ୍ଚଳରେ ହରମିନ୍ଦରଙ୍କୁ ହଟାଇବା ପାଇଁ ପୋଲିସର ଏକ ଟିମ ଯାଇଥିଲେ। କିନ୍ତୁ ମହିଳା ଜଣକ ଆତ୍ମହତ୍ୟା ଧମକ ଦେଇଥିଲେ। ଫଳରେ ଟିମ ହତାଶ ହୋଇ ଫେରି ଆସିଥିଲେ। ଏବେ ବଳପୂର୍ବକ ଧାରତୂଲା ଆଣିବାକୁ ପାଇଁ ଏକ ବଡ଼ ଟିମ୍ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି।