ଘରୋଇ କ୍ଲିନିକରୁ ଶିଶୁ ନିଖୋଜ ଘଟଣାରେ ମାମଲା ରୁଜୁ

ରାୟଗଡା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ସହରର ଏକ ଘରୋଇ କ୍ଲିନିକରୁ ଗୋଟିଏ ନବଜାତ ଶିଶୁପୁତ୍ର ନିଖୋଜ ଘଟଣାରେ ପୁଲିସ ମାମଲା ରୁଜୁ କରିଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଲିଖିତ ଭାବେ ଅଭିଯୋଗ କରାଯିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ରାୟଗଡ଼ା ଥାନାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଗତକାଲି ବିଳମ୍ବିତ ରାତିରେ ଏତଲା ଦିଆଯାଇଛି ବୋଲି କହିଛନ୍ତି ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ। ଆଜି ପୁଲିସ ମାମଲାର ଛାନଭିନ କରୁଛି। ପ୍ରକାଶ ଥାଉ କି, ରାୟଗଡା ବ୍ଲକ୍‌ ଅନ୍ତର୍ଗତ କାରୁବାଇ ଗ୍ରାମର ରାଇସିଂ ମେଲେକାଙ୍କ ସ୍ତ୍ରୀ ପ୍ରଭାତୀ ମେଲେକା ଗତ ମାର୍ଚ୍ଚ ୧୭ ତାରିଖରେ କାରୁବାଇ ଗ୍ରାମର କମ୍ପାରିଗଣ୍ଡା ପାହାଡ଼ ଉପରେ ଥିବା ନିଜର ଏକ କୁଡ଼ିଆ ଘରେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ପ୍ରସବ ବେଦନା ସହିନପାରି ଶେଷରେ ଆଖି ବୁଜିଦେଲେ ନବଜାତ ଶିଶୁର ମା ପ୍ରଭାତୀ।

ପରବର୍ତ୍ତୀ ସମୟରେ ଏଏନ୍‌ଏମ୍‌ ଓ ଆଶାକର୍ମୀ ଯାଇ ପରିବାର ନିକଟରେ ପହଞ୍ଚିଲେ। ଏହାପରେ ଶିଶୁକୁ ଚିକିତ୍ସା ପାଇଁ ରାୟଗଡ଼ା ଅଣାଯାଇଥିଲା। ତେବେ ରାୟଗଡ଼ା ଅଣାଯିବା ପରେ ସେହି ଅଞ୍ଚଳର ଏଏନ୍‌ଏମ୍‌ ଶିଶୁକୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ନକରି ଏକ ଘରୋଇ କ୍ଲିନିକ୍ ନେଇଥିଲେ। ସେଠାରେ ଭର୍ତ୍ତି କରିବା ପରେ ଶିଶୁର ମାଗଣା ଚିକିତ୍ସା କରାଯାଉଛି ବୋଲି ମଧ୍ୟ କହିଥିଲେ। ହେଲେ ପରବର୍ତ୍ତୀ ସମୟରେ ଶିଶୁର ବାପା ରାଇସିଂ ଓ ଅନ୍ୟ ପରିବାର ଲୋକ ଆସିଲା ବେଳକୁ ଶିଶୁକୁ ଘରୋଇ କ୍ଲିନିକ୍ କର୍ତ୍ତୃପକ୍ଷ ଆଉ ଦେଖାଇନଥିଲେ।

ପ୍ରାୟ ୨ ମାସରୁ ଅଧିକ ସମୟ ବିତିଗଲାନି ତଥାପି ଶିଶୁ ପୁତ୍ରର ସନ୍ଧାନ ପାଉନି ବାପା ରାଇସିଂ। ତେବେ ଡାକ୍ତରଙ୍କ ପାଖରେ ୩୭,୫୦୦ ଟଙ୍କାରେ ଶିଶୁ ପୁତ୍ର ବନ୍ଧା ପଡିଥିବା ଅଙ୍ଗନବାଡ଼ି କର୍ମୀ କହିଛନ୍ତି। ତେବେ ବାପା ଓ ପରିବାର ଗରିବ ଆଦିବାସୀ ଓ କୁଲି ମଜୁରିଆ ହୋଇଥିବାରୁ ଏତେ ପରିମାଣର ଅର୍ଥ ଯୋଗାଡ଼ କରିବା ତାଙ୍କ ପାଖରେ ସମ୍ଭବପର ନଥିବାରୁ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାରବର୍ଗ। ଶିଶୁ ନିଖୋଜ ଅଛି ନା ଲୁଚା ଯାଇଛି ତାହା ସନ୍ଦେହ ସୃଷ୍ଟି କରିଛି। ଯାହାର ପୁଲିସ ତଦନ୍ତ ପରେ ଜଣାପଡ଼ିବ।