ଆଜି ବିଜେପିରେ ଯୋଗଦେବେ ପାଟିଦାର ଆନ୍ଦୋଳନର ସୂତ୍ରଧାର ହାର୍ଦ୍ଦିକ ପଟେଲ

ଅହମ୍ମଦାବାଦ,ଏଜେନ୍ସି: ଗୁଜରାଟରେ ହାର୍ଦ୍ଦିକ ପଟେଲଙ୍କୁ ନେଇ ଦ୍ୱନ୍ଦ୍ୱ ଶେଷ ହୋଇଯାଇଛି। କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ବିଜେପି) ତରଫରୁ ଜାତୀୟ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଯେ, ହାର୍ଦ୍ଦିକ ପଟେଲ ଜୁନ ୨ ତାରିଖ (ଗୁରୁବାର) ପଦ୍ମ ଧରିବେ। ହାର୍ଦ୍ଦିକ ପଟେଲଙ୍କ ଜୁନ ୨ରେ ଯେଉଁ କାର୍ଯ୍ୟକ୍ରମ ସାମ୍ନାକୁ ଆସିଛି, ସେ ସକାଳ ୯ଟାରେ ନିଜ ଘରେ ଦୁର୍ଗା ପୂଜାର ଆୟୋଜନ କରୁଛନ୍ତି। ଦୁର୍ଗା ପୂଜା ପରେ ହାର୍ଦ୍ଦିକ ସ୍ୱାମୀନାରାୟଣ ଯିବେ ଏବଂ ସେଠାରେ ଗୋ ପୂଜା କରିବେ।

ହାର୍ଦ୍ଦିକ ପଟେଲ ଆଜି ପୂର୍ବାହ୍ନରେ ବିଜେପିର କାର୍ଯ୍ୟାଳୟ କମଲମ ପହଞ୍ଚି ପାର୍ଟିର ସଦସ୍ୟତା ଗ୍ରହଣ କରିବେ। ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସିଆର ପାଟିଲ, ହାର୍ଦ୍ଦିକ ପଟେଲଙ୍କୁ ସଦସ୍ୟତା ଦେବେ। ଏଥି ସହିତ ହାର୍ଦ୍ଦିକ ପଟେଲଙ୍କ ନୂଆ ରାଜନୈତିକ ଜୀବନ ଆରମ୍ଭ ହୋଇଯିବ।

ହାର୍ଦ୍ଦିକ ପଟେଲ ୨୦୧୪ରେ ସର୍ବସାଧାରଣରେ ଚିହ୍ନିତ ହୋଇଥିଲେ। ସେହି ସମୟରେ ହାର୍ଦ୍ଦିକ ପାଟିଦାର ସଂଗଠନ ସର୍ଦ୍ଦାର ପଟେଲ ଗ୍ରୁପ ସହିତ ଜଡ଼ିତ ଥିଲେ। ଏହି ଗ୍ରୁପ ପରବର୍ତ୍ତୀ ସମୟରେ ପାଟିଦାର ସଂରକ୍ଷଣ ଦାବି କରି ଆନ୍ଦୋଳନ ଆରମ୍ଭ କରିଥିଲା। ୨୦୧୫ରେ ପାଟିଦାର ସଂରକ୍ଷଣ ଦାବି ନେଇ ପ୍ରଥମ ରାଲି ଭିସନଗରରେ ବାହାରିଥିଲା। ଏହି ରାଲିରେ ହାର୍ଦ୍ଦିକ ପଟେଲ ଓ ଅନ୍ୟ ମାନଙ୍କ ଉପରେ ବିଜେପି କାର୍ଯ୍ୟାଳୟ ଭଙ୍ଗାରୁଜା କରିଥିବା ଅଭିଯୋଗ ଆସିଥିଲା। ଏହି ମାମଲାରେ ହାର୍ଦ୍ଦିକ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲଦଣ୍ଡ ମିଳିଥିଲା। କିନ୍ତୁ ସୁପ୍ରିମକୋର୍ଟ ଜେଲଦଣ୍ଡକୁ ଖାରଜ କରିଦେଇଥିଲେ।

ହାର୍ଦ୍ଦିକ ପଟେଲ ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ହାର୍ଦ୍ଦିକ ପଟେଲ ଓ ରାହୁଲ ଗାନ୍ଧୀଙ୍କର ଭେଟ ହୋଇଥିଲା। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ହାର୍ଦ୍ଦିକ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୨୦ରେ ସେ ଦଳର କାର୍ଯ୍ୟକାରୀ ସଭାପତି ହୋଇଥିଲେ।