ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ସୁବର୍ଣ୍ଣପୁର ଜିଲ୍ଲାରେ ଶିଶୁ ଶ୍ରମିକ ନିୟୋଜନକୁ ନିଷେଧ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ସଚେତନତା ରଥ ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ସହିତ ସୋନପୁର ମ୍ୟୁନିସିପାଲିଟି ଅଞ୍ଚଳ ପରିକ୍ରମା କରି ଜନସାଧାରଣଙ୍କୁ ଶିଶୁ ଶ୍ରମିକ ନିୟୋଜନ ଉପରେ ସଚେତନ କରାଇବ । ସଚେତନତା କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରାଇବା ଉଦ୍ଦେଶ୍ୟରେ ଜିଲ୍ଳା ଶ୍ରମ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଆଜିଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବାର ସ୍ଥିର ହୋଇଥିବା ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଖାକା ସୂଚନା ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲାସ୍ତରରେ ଆସନ୍ତା ୩ ତାରିଖରେ ଏକ ସଚେତନତା ଶୋଭାଯାତ୍ରା ସହ ଶପଥ ପାଠ ସମାରୋହ ଅନୁଷ୍ଠିତ ହେବ । ପୁନଶ୍ଚ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗ ସହଯୋଗରେ ଶିଶୁ ଶ୍ରମ ନିଷେଧ ଉପରେ ସଚେତନତା ବୈଠକ ଅନୁଷ୍ଠିତ ସହ ଶିଶୁ ସୁରକ୍ଷାକୁ ଅଧିକ ଗୁରୁତ୍ୱାରୋପ କରାଯାଇ ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଉପରେ ଚଢ଼ଉ ତଥା ଶିଶୁ ଉଦ୍ଧାର କାର୍ଯ୍ୟକ୍ରମ କରାଯିବା ଉପରେ ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାକା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲାକା ରବୀନ୍ଦ୍ର, ଡିସିପି ଚତୁର୍ଭୁଜ ଦାଶ, ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା ଓ ଶ୍ରମ ବିଭାଗର କର୍ମଚାରୀ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।