ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଘଟଣା, ବଦଳି ପରେ ଖୋଲିଲା ସ୍କୁଲ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବ୍ରାହ୍ମଣୀ କସ୍ତୁରିବା ଗାନ୍ଧୀ କନ୍ୟାଶ୍ରମ ଛାତ୍ରୀଙ୍କୁ ସ୍କୁଲର ଶିକ୍ଷକ ପ୍ରତାପ ନନ୍ଦ ଅସଦାଚରଣ କରିଥିବା ଅଭିଯୋଗ କରି ଗତ ୨୩ ତାରିଖରେ ଗ୍ରାମବାସୀମାନେ ସ୍କୁଲରେ ତାଲା ପକାଇ ଦେଇଥିଲେ । ପରେ ଶିକ୍ଷା ବିଭାଗର ତତ୍ପରତା ପ୍ରକାଶ ପାଇବା ପରେ ଅତିରିକ୍ତ ଶିକ୍ଷାଧିକାରୀ ନାରାୟଣ ଭୋଇ ତଦନ୍ତ କରି ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ଭୋଇଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ଶିକ୍ଷା ବିଭାଗ ଶିକ୍ଷକ ପ୍ରତାପ ନନ୍ଦଙ୍କୁ ବ୍ରାହ୍ମଣୀ ସ୍କୁଲରୁ ଅନ୍ୟତ୍ର ରେଙ୍ଗାଲବାହାଲ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଉକ୍ତ ବିଦ୍ୟାଳୟରେ ୨୪୬ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାବେଳେ ୧୦ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି । ଶିକ୍ଷକ ପ୍ରତାପ ନନ୍ଦ କାର୍ଯ୍ୟରେ ଅବହେଳା ସହିତ ଛାତ୍ରୀଛାତ୍ରଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ତାଙ୍କୁ ବଦଳି ଦାବୀ ନେଇ ଗତ ୬ ତାରିଖ ବ୍ଲକ ଶିକ୍ଷାଧିକାରୀଙ୍କୁ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଶିକ୍ଷା ବିଭାଗ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ପରିଚାଳନା କମିଟି ଗତ ୨୩ ଓ ୨୪ ୨ଦିନ ଧରି ସ୍କୁଲ ମୁଖ୍ୟ ଗେଟ ସମ୍ମୁଖରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଖବର ପାଇ ସିଆରସିସି ଚିନ୍ତାମଣି ସାହୁ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ବଦଳି ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ପରିଚାଳନା କମିଟି ଓ ଗ୍ରାମବାସୀମାନେ ଚେତାବନୀ ଦେଇଥିଲେ । ତେବେ ଶିକ୍ଷକ ପ୍ରତାପ ନନ୍ଦଙ୍କ ବଦଳି ହେବା ପରେ ସ୍କୁଲ କମିଟି ସଭାପତି ତପ ଯାନୀ, କାଳିଆ ବଗର୍ତି, ନରେଶ ବଗର୍ତି, ତରୁଣ ଯାନୀ, ନୀଳ ଛତ୍ରିଆ, ଲଲିତ ବଗର୍ତି, ଗରିବ ମଲ୍ଲିକ, ପବିତ୍ର ନାଗ ଓ ସତ୍ୟ ନାରାୟଣ ବାରିକଙ୍କ ସମେତ ପରିଚାଳନା କମିଟି ଓ ଗ୍ରାମବାସୀମାନେ ଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ।