ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌରାଞ୍ଚଳରେ ଗତ କିଛି ବର୍ଷ ଧରି ଚାଲିଥିବା ମାଙ୍କଡ଼ ଉପଦ୍ରବକୁ ହୃଦୟଙ୍ଗମ କରି ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବନଖଣ୍ଡ ଅଧିକାରୀ ମଗର ଧନାଜୀ ରାଓସୋ, ଆରକ୍ଷୀ ଅଧିକ୍ଷକ ରାଜକିଶୋର ପାଇକରାୟ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଲୁକାଶ ପ୍ରଧାନ ଓ ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ପୌରାଞ୍ଚଳରେ ଜାରି ରହିଥିବା ମାଙ୍କଡ଼ ଉପଦ୍ରବ ରୋକିବା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଗତ କିଛିଦିନ ମଧ୍ୟରେ ମାଙ୍କଡ଼ ଆକ୍ରମଣରେ ଏକାଧିକ ବ୍ୟକ୍ତି ଗୁରୁତର ହୋଇଥିବାବେଳେ ଉଗ୍ର ମାଙ୍କଡ଼ ଆକ୍ରମଣରେ ସମ୍ଭାବ୍ୟ ମୃତ୍ୟୁ ଆଶଙ୍କା ପରିସ୍ଥିତି ଉପୁଜିବା ପୂର୍ବରୁ ପ୍ରଶାସନ ବ୍ୟାପକ ଜନ ସଚେତନତା ପାଇଁ ଡାକବାଜି ଯନ୍ତ୍ର ସାହଯ୍ୟରେ ପ୍ରଚାର କରିବା ସହ ପ୍ରତି ୱାର୍ଡରେ ଏସଏଚଜି ଗ୍ରୁପ ସହାୟତାରେ ନେବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ବନ ବିଭାଗ ପକ୍ଷରୁ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି କରାଯାଇ ପ୍ରତି ୱାର୍ଡରେ ମାଙ୍କଡ଼ ଉପଦ୍ରବ ରୋକିବା ନେଇ ସଜାଗ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଶାନ୍ତ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସାଧନା ଦାସ, ପୌର ପରିଷଦ ନିର୍ବାହୀ ଅଧିକାରୀ ଆତସୀ ପରିଡ଼ା ଓ ଜିଲ୍ଲା ଓକିଲ ସଂଘ ସଭାପତି ସଚ୍ଚିକାନ୍ତ ଦାସଙ୍କ ସମେତ ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନର ପଦାଧିକାରୀମାନେ ଉପସ୍ଥିତ ଥିଲେ ।