ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରରେ ସେନାକୁ ବଡ଼ ସଫଳତା ମିଳିଛି। ସେନାର ଯବାନମାନେ ଆତଙ୍କବାଦୀ ସଂଗଠନ ‘ଲଶ୍କର-ଏ-ତଇବା’ର ୩ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। କଶ୍ମୀର ଆଇଜିପି ପୁଲିସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସେନାର ଯବାନମାନେ କୁପୱାରା ଜିଲ୍ଲା ଜୁମାଗୁଣ୍ଡରେ ପହଞ୍ଚି ଥିଲେ। ଆତଙ୍କବାଦୀମାନେ ସେନାର ଯବାନଙ୍କୁ ଦେଖି ବିଚଳିତ ହୋଇପଡ଼ିଥିଲେ। ସେମାନେ ପ୍ରଥମେ ଗୁଳି ଫୁଟାଇଥିଲେ। ସେନା ଏହାକୁ ମୁକାବିଲା କରିଥିଲା। ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ସେନାକୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୁଳି ମିଳିଛି। ରିପୋର୍ଟ ଲେଖାଯିବା ବେଳକୁ ସେନାର ସର୍ଚ୍ଚ ଅପରେଶନ ଜାରି ରହିଛି। ସେନା ଏଠାରେ ଆହୁରି ଆତଙ୍କବାଦୀ ଥିବା ଅନୁମାନ କରୁଛି।
ଆତଙ୍କବାଦୀମାନେ ଦିନକୁ ଦିନ ଉଗ୍ରରୂପ ଧାରଣ କରୁଛନ୍ତି। ଜମ୍ମୁ କଶ୍ମୀରରେ ଆତଙ୍କବାଦୀମାନେ ଏବେ ମହିଳା ଓ ଶିଶୁମାନଙ୍କୁ ମଧ୍ୟ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି। ଲଗାତାର ୨ୟ ଦିନରେ ଘାଟିରେ ହିଂସା ଦେଖିବାକୁ ମିଳିଛି। ଦିନକ ପୂର୍ବରୁ ଘାଟିରେ ଆତଙ୍କବାଦୀମାନେ ଜଣେ କନଷ୍ଟେବଳଙ୍କୁ ଟାର୍ଗେଟ କରିଥିଲେ, ଯେଉଁଥିରେ କି ତାଙ୍କର ୯ ବର୍ଷର ଶିଶୁକନ୍ୟା ଆହତ ହୋଇଥିଲା।