ପୌର ପରିଷଦର ସାତ କାଉନସିଲରଙ୍କ ବିଦ୍ରୋହ

ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟର ଅନ୍ୟତମ ସର୍ବ ପୁରାତନ ପୌରପରିଷଦ ମଧ୍ୟରୁ ଅନ୍ୟତମ ଦେବଗଡ଼ ୧୧ ୱାର୍ଡ ବିଶିଷ୍ଠ ପୌର ପରିଷଦରେ ଦେଖା ଦେଇଛି ପାରିଷଦଙ୍କ ବିଦ୍ରୋହ। ଦେବଗଡ଼ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ପୌରାଧକ୍ଷାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ୭ ପାରିଷଦ। ଆଜି ସନ୍ଧ୍ୟାରେ ଏକ ଘରୋଇ ହୋଟେଲ ଠାରେ ୬ ନମ୍ବର ୱାର୍ଡ ସ୍ୱାଧୀନ ପାରିଷଦ ଧର୍ମେନ୍ଦ୍ର କୁମାର ଦେବତାଙ୍କ ପରିଚାଳନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୌରପରିଷଦ ବିରୋଧରେ ଅଭିଯୋଗ ବାଢିଛନ୍ତି ୭ ପାରିଷଦ।

ପାରିଷଦଙ୍କ ଅଭିଯୋଗ ଅନୁଯାୟୀ ପୌର ପରିଷଦ ପକ୍ଷରୁ ପାରିଷଦଙ୍କୁ ଅନ୍ଧାରରେ ରଖି ବିନା ସୂଚନାରେ ଲକ୍ଷ ଲକ୍ଷ ଟଙ୍କାର ବଜାର ଟେଣ୍ଡର କରାଯିବା ସହ ଏସ୍‌ଏଚ୍‌ଜି ଗ୍ରୁପ୍‌ଙ୍କ ନାମରେ ବିନା ଟେଣ୍ଡରରେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରାଯାଇ ସହରର ଉନ୍ନୟନ ନାମରେ ହରିଲୁଟ କରୁଥିବା ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ପୌରପରିଷଦ ଅଧିକାରୀ ଓ କର୍ମଚାରୀ ଅଣଦେଖା କରୁଥିବା ଅଭିଯୋଗ କରିବା ସହ ସହରର ବର୍ଦ୍ଧିତ ଟିକସ ପ୍ରତ୍ୟାହାର ଦାବିରେ ଆସନ୍ତା ଶୁକ୍ରବାର ଦିନ ଠାରୁ ୭ ପାରିଷଦ ପୌର ପରିଷଦ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ନଗରପାଳ ପ୍ରଜିତ କୁମାର ଭୋଜ, ପାରିଷଦ କାର୍ତ୍ତିକ ମହାକୁଳ, ମଧୁସୂଦନ ବାଗ, ପିଙ୍କି ସାହୁ ଓ ସରୋଜିନୀ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।