ପିଇବା ପାଣି ସମସ୍ୟା ଉପରେ ନରସିଂହଙ୍କ ସମୀକ୍ଷା ବୈଠକ

ବଲାଙ୍ଗିର,ଏନ୍‌ଏନ୍‌ଏସ୍‌: ପିଇବା ପାଣି ସମସ୍ୟାକୁ ନେଇ ଆଜି ଅପରାହ୍ନରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏକ ସମୀକ୍ଷା ବୈଠକ କରିଛନ୍ତି । ଉକ୍ତ ବୈଠକରେ ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ । ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ଭୂତଳ ଟ୍ୟାଙ୍କଗୁଡ଼ିକ ନିର୍ମାଣାଧୀନ ଅବସ୍ଥାରେ ରହିଥିବାବେଳେ ସେସବୁ କାର୍ଯ୍ୟକ୍ରମ କେବେ ସମ୍ପୂର୍ଣ୍ଣ ହେବ ସେସମ୍ପର୍କରେ ପଚାରି ବୁଝିଥିଲେ । ଏତଦବ୍ୟତୀତ ସହରକୁ ସମ୍ପୂର୍ଣ୍ଣ ପିଇବା ପାଣି ସମସ୍ୟାରୁ ମୁକ୍ତ କରିବା ପାଇଁ କେଉଁ କେଉଁ ପ୍ରକଳ୍ପର ପ୍ରସ୍ତାବ ଯାଇଛି ତା’ ଉପରେ ମଧ୍ୟ ଆଲୋଚନା ହୋଇଛି । ଆଗାମୀ ଦିନରେ ନଳକୂପ ଖନନ ପାଇଁ ବିଧାୟକ ଶ୍ରୀ ମିଶ୍ର ପାଣ୍ଠି ଯୋଗାଡ଼ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ସହରରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ପିଇବା ପାଣି ଓ ଶୌଚାଳୟ ସମସ୍ୟା ଦୂର କରିବା ଲାଗି ସମସ୍ତ ସ୍କୁଲକୁ ଗସ୍ତ କରି ଏକ ରିପୋର୍ଟ ସପ୍ତାହକ ମଧ୍ୟରେ ପ୍ରଦାନ କରିବାକୁ ଜିପିଏଚଡିର ସହକାରୀ ଯନ୍ତ୍ରୀ ସୁଶାନ୍ତ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ବିଭାଗ ତଥା ଜନସାଧାରଣ ପିଇବା ପାଣିକୁ ନେଇ ସମ୍ମୁଖୀନ ହେଉଥିବା ସମସ୍ୟାର ଏକ ସବିଶେଷ ରିପୋର୍ଟ ୭ଦିନ ଭିତରେ ନିର୍ବାହୀ ଯନ୍ତ୍ରୀ ପ୍ରଦାନ କଲା ପରେ ବିଧାୟକ ଶ୍ରୀ ମିଶ୍ର ରାଜ୍ୟସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରି ଏହି ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜନସ୍ୱାସ୍ଥ୍ୟ ବିଭାଗ ପ୍ରତିନିଧି ପବିତ୍ର ବେହେରା, ନିର୍ବାହୀ ଯନ୍ତ୍ରୀ ପାର୍ବତୀ ମୋହନ ପରିଡ଼ା, ଏସଡିଓ ସୁବ୍ରତ ନାୟକ, କନିଷ୍ଠ ଯନ୍ତ୍ରୀ ରାଜିବ ଲୋଚନ କିସାନ ଓ ପ୍ରକାଶ ଚନ୍ଦ୍ର ବେହେରା ୁଉପସ୍ଥିତ ଥିଲେ ।