ନୂଆଦିଲ୍ଲୀ: ପୂର୍ବତନ ପାକିସ୍ତାନୀ କ୍ରିକେଟର ସାହିଦ ଆଫ୍ରିଦି ପୁଣିଥରେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ବିବାଦ ଘେରରେ ଫସି ଯାଇଛନ୍ତି । କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକଙ୍କୁ ଆଜି ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଆଜୀବନ କାରାଦଣ୍ଡାଦେଶ ଶୁଣାଯାଇଛି । ଏହି ପରିପ୍ରେକ୍ଷୀରେ ୟାସିନଙ୍କ ସମର୍ଥନରେ ଆଫ୍ରିଦି ଏକ ଟ୍ୱିଟ୍ କରିଛନ୍ତି ।
ଉକ୍ତ ଟ୍ୱିଟ୍ରେ ସାହିଦ ଆଫ୍ରିଦି ଲେଖିଛନ୍ତି ଯେ, ମାନବାଧିକାର ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଲୋକଙ୍କୁ ଭାରତ ସର୍ବଦା ଚୁପ କରାଇବାକୁ ଚେଷ୍ଟା କରିଥାଏ । କିନ୍ତୁ ଏହା ବ୍ୟର୍ଥ । ୟାସିନ ମଲ୍ଲିକଙ୍କ ବିରୋଧରେ ଲଗାଯାଇଥିବା ମିଥ୍ୟା ଆରୋପ କଶ୍ମୀର ସ୍ୱାଧୀନତାର ସଂଘର୍ଷକୁ ରୋକିପାରିବ ନାହିଁ । କଶ୍ମୀରୀ ନେତାଙ୍କ ବିରୋଧରେ ହେଉଥିବା ଏପରି ଅବୈଧ ମାମଲାକୁ ଧ୍ୟାନ ଦେବାକୁ ମୁଁ ସଂଯୁକ୍ତ ରାଷ୍ଟ୍ରକୁ ଅନୁରୋଧ କରୁଛି ।
ସାହିଦ ଆଫ୍ରିଦଙ୍କ ଏହି ଟ୍ୱିଟର ଭାରତୀୟ ବୋଲର ଅମିତ ମିଶ୍ରା କଡ଼ା ଜବାବ ଦେଇଛନ୍ତି । ଅମିତ ମିଶ୍ରା ଟ୍ୱିଟ୍ କରି କହିଛନ୍ତି ଯେ, ପ୍ରିୟ ସାହିଦ ଆଫ୍ରିଦି କୋର୍ଟରେ ୟାସିନ ମଲ୍ଲିକ ନିଜ ଦୋଷ ସ୍ୱୀକାର କରିଛି । ଆପଣଙ୍କ ଜନ୍ମ ତାରିଖ ଭଳି ସବୁ ଜିନିଷ ବିଭ୍ରାନ୍ତିକର ନୁହେଁ ।