ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମାନସିକ ରୋଗାଗ୍ରସ୍ତ ଦଳିତ ମହିଳା ଦେମନ୍ତି ତାଣ୍ଡିଙ୍କ ଶବ ସଂସ୍କାର ପାଇଁ କୌଣସି ଲୋକ ତଥା ତାଙ୍କ ପରିବାରବର୍ଗ ବାହାରି ନଥିଲେ । ଫଳରେ ଯୁବ ସମାଜସେବୀ ରାଜେଶ ପୌଡ଼ ହେଲଥ କ୍ଲବର ସଦସ୍ୟଙ୍କୁ ଏନେଇ ସୂଚନା ଦେବା ପରେ ଦେମନ୍ତିଙ୍କ ଶବ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ହେଲଥ କ୍ଲବର ସଭାପତି ପଦ୍ମଲୋଚନ ବର୍ମା, ବରିଷ୍ଠ ସଦସ୍ୟ ବିଜୟ ସହିସ ଓ କୁଲଦିପ ବର୍ମା ତୁରନ୍ତ ଆଗେଇ ଆସିଥିଲେ । ପରେ ଭଗତ ସିଂ କ୍ଲବର ସଭାପତି ବିକାସ ନୟାଖୋର, ତାଙ୍କ ସାଥୀ ଓ ସମାଜସେବୀ କଲିମ ମହମ୍ମଦ ମଧ୍ୟ ଜାତିଗତ ଧର୍ମ ନିର୍ବିଶେଷରେ ଶବ ସଂସ୍କାର କାମରେ ଉପସ୍ଥିତ ଥିଲେ । ଖଡ଼ିଆଳ ନଗରପାଳ ଉଜ୍ଜଲ ଗୁପ୍ତା ଶବ ସଂସ୍କାର ପାଇଁ କାଠର ବ୍ୟବସ୍ଥା କରିଥିବାବେଳେ ଯୁବ ସମାଜସେବୀ ରାଜେଶ ପୌଡ଼ ଧୂପକାଠିଠାରୁ ନେଇ ଘିଅ ମାଟି ତେଲ ପ୍ରଭୃତି ଏକାଠି କରି ସବୁ ସମାଜସେବୀ ଏକା ସାଙ୍ଗରେ ମୁଖାଗ୍ନି ଦେଇଥିଲେ ।
ସୂଚନାଯୋଗ୍ୟ, ଦେମନ୍ତି ତାଣ୍ଡି ଗତ ମେ’ ୧ ତାରିଖରେ ଅସୁସ୍ଥତା କାରଣରୁ ଖଡ଼ିଆଳର ଏସଡିଏଚ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଉ ଆଜି ସକାଳ ପ୍ରାୟ ୮ଟାରେ ତାଙ୍କର ଦେହାନ୍ତ ହୋଇଥିଲା । ଗତ ବର୍ଷ ଦେମନ୍ତି ତାଣ୍ଡିଙ୍କ ସ୍ୱାମୀ ଯଦୁ ତାଣ୍ଡି କରୋନାରେ ମୃତ୍ୟୁ ଘଟିଥିଲା । ସେହିପରି ଦେମନ୍ତିଙ୍କ ପୁଅ ମିଚର ତାଣ୍ଡି ଟିବି ରୋଗରେ ଏହାପୂର୍ବରୁ ପ୍ରାଣ ହରାଇଥିଲେ ।