ଦେବଗଡ଼,ଏନ୍ଏନ୍ଏସ୍: ଆଜି ସମ୍ବଲପୁର ସ୍ଥିତ ମାର୍କଫେଡ୍ ଏରିଆ ଅଫିସ୍ ଠାରେ ବାରକୋଟ୍ ଫେଡ୍ ଫାର୍ମର୍ସ୍ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ ଓ ମାର୍କଫେଡ୍ ମଧ୍ୟରେ ଏକ ବୁଝାମଣା ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତିପତ୍ର ମାର୍କଫେଡ୍ର ଏରିଆ ମ୍ୟାନେଜର ପ୍ରଫୁଲ୍ଲ କୁମାର ସାହୁ ଓ ବାରକୋଟ ଏଫ୍ପିସିର ନିର୍ଦ୍ଦେଶକ ଦେବାନନ୍ଦ ଜିତ୍ ସ୍ବାକ୍ଷର କରି ପରସ୍ପରକୁ ପ୍ରଦାନ କରିଥିଲେ।
ତଦନୁଯାୟୀ ଚଳିତ ବର୍ଷ ବାରକୋଟ ବ୍ଲକ୍ ଦଣ୍ଡାସିଂହା ପଞ୍ଚାୟତରେ ବାରକୋଟ ଫେଡ୍ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ ମାଧ୍ୟମରେ ଚାଷୀଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପ୍ରତି ୫୫୫୦ ଟଙ୍କାରେ ଚିନାବାଦାମ କ୍ରୟ କରାଯିବ। ସୂଚନାଯୋଗ୍ୟ ଯେ ଗତ ବର୍ଷ ପ୍ରଥମ କରି ଏହି ପଞ୍ଚାୟତରୁ ୩୨ ମେଟ୍ରିକ ଟନ୍ ଚିନାବାଦାମ ମାର୍କଫେଡ୍ କ୍ରୟ କରିଥିବା ବେଳେ ଏହି ବର୍ଷ ୨୦୦ମେଟ୍ରିକ ଟନ୍ର ଲକ୍ଷ ଧାର୍ଯ୍ୟ କରାଯାଇଛି। ଏହା ଦ୍ବାରା ଚାଷୀ ମାନେ ଅଭାବି ବିକ୍ରିର ସମ୍ମୁଖୀନ ହେବେ ନାହିଁ ତଥା ତାଙ୍କ ଉତ୍ପାଦିତ ତୈଳବୀଜର ଉଚିତ୍ ମୁଲ୍ୟ ପାଇ ପାରିବେ।