ବଲାଙ୍ଗିର,ଏନ୍ଏନ୍ଏସ୍: ମଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଗଲପୁର ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ଡିଏଫ୍ଓ ନିତିଶ କୁମାର, ପିଡ଼ି ଡିଆର୍ଡ଼ିଏ ସୁଶାନ୍ତ କୁମାର ସିଂ, ବଲାଙ୍ଗିର ଉପ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଆଗଲପୁର ବ୍ଲକର ବିଡ଼ିଓ, ତହସିଲଦାର ତଥା ବ୍ଲକ୍ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ ସମସ୍ୟା ମୂଳକ ମୋଟ ୨୩୧ଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା। ତନ୍ମଧ୍ୟରୁ ୨୦୮ଟି ସାମୁହିକ ଦରଖାସ୍ତ ଦାଖଲ ହୋଇଥିଲା।
ଅଭିଯୋଗ ଦରଖାସ୍ତ ଗୁଡ଼ିକ ମଧ୍ୟରୁ ୨୨ଟି ଅଭିଯୋଗର ସମାଧାନ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ହିଁ କରାଯାଇଥିଲା। ଅନ୍ୟ ଅଭିଯୋଗ ଦରଖାସ୍ତ ଗୁଡ଼ିକର ତୁରନ୍ତ ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ସହାୟତା ପ୍ରଦାନ କରାଯାଇଥିଲା। ସୌଦାଗର ନାହାକ ଓ ମମିତା ଦାସଙ୍କୁ ବିବାହ ପ୍ରୋତ୍ସାହନ ରାଶି ୨ ଲକ୍ଷ ୫୦ ହଜାର ଟଙ୍କାର ଚେକ୍ ଜିଲ୍ଲାପାଳ ପ୍ରଦାନ କରିଥିଲେ। ସେହିପରି ୬ ଜଣ ତୃତୀୟ ଲିଙ୍ଗୀଙ୍କୁ ମାନପତ୍ର ଓ ପରିଚୟ ପତ୍ର, ତିନି ଜଣ ହିତାଧିକାରୀଙ୍କୁ ଜାତୀୟ ପରିବାର ସହାୟତା ଯୋଜନା ଜରିଆରେ ପ୍ରତ୍ୟେକଙ୍କୁ ୨୦ ହଜାର ଟଙ୍କାର ସହାୟତା, ଜଣଙ୍କୁ ସେରିବ୍ରାଲ ପାଲ୍ସ୍ ଚେୟାର ଏବଂ ଜଣଙ୍କୁ ହ୍ୱିଲ ଚେୟାର ଜିଲ୍ଲାପାଳ ପ୍ରଦାନ କରିଥିଲେ।
ସେହିପରି ଚିକିତ୍ସା ସହାୟତା ନିମନ୍ତେ ୩ ଜଣଙ୍କୁ ଜିଲ୍ଲା ରେଡ୍କ୍ରସ୍ ପାଣ୍ଠିରୁ ଆର୍ଥିକ ସହାୟତା ବାବଦରେ ମୋଟ ୨୫ ହଜାର ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ତନ୍ମଧ୍ୟରୁ ବୃନ୍ଦା ମେହେର ଓ ଲୋଚନ ହରପାଲଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଏବଂ ଗୋବିନ୍ଦ ଭୁଏଙ୍କୁ ୫ ହଜାର ଟଙ୍କାର ସହାୟତା ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲା।