ନୂଆପଡ଼ା,ଏନ୍ଏନ୍ଏସ୍: କିଛିଦିନର ନୀରବତା ପରେ ଲାଲବାହିନୀ ନିଜର ଉପସ୍ଥିତି ଜାହିର କରିଛି । ଓଡ଼ିଶା-ଛତିଶଗଡ ସୀମାରେ ମାଓ ପୋଷ୍ଟର ଓ ବ୍ୟାନର ଓଡ଼ିଶା ରାଜ୍ୟ କମିଟି ମାଓବାଦୀ ଲଗାଇଛି । ଛତିଶଗଡ଼ର ଦେଓଭୋଗ-ଗରିଆବନ୍ଧ ରାଜ୍ୟ ରାଜପଥର ବୁଢ଼ଗେଲଟପ୍ପା ଗାଁ ନିକଟରେ ମାଓବାଦୀମାନେ ଗଛକାଟି ରାସ୍ତା ଅବରୋଧ କରି ବ୍ୟାନର ଓ ପୋଷ୍ଟର ଲଗାଇଛନ୍ତି । ଆସନ୍ତା ୨୦ ତାରିଖରେ ଓଡ଼ିଶା ସହ ଛତିଶଗଡ଼ର ଗରିଆବନ୍ଧ, ଧମତରି, କୋଡ଼ାଗାଁ ଓ ମହାସମୁନ୍ଦ ଜିଲ୍ଲା ବନ୍ଦ ପାଇଁ ଅନୁରୋଧ କରିଛନ୍ତି । ଉକ୍ତ ପୋଷ୍ଟରରେ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଧିନ ବୋଡ଼େନ ଥାନା ଧୋବଘାଟ, ଖଡୁପାନି, ଭଇଁଷାଦାନି ଗାଁରେ ନିର୍ମାଣାଧୀନ ନୂତନ ଓ ପୁରୁଣା ପୁଲିସ କ୍ୟାମ୍ପକୁ ହଟାଇବାକୁ ମାଓବାଦୀମାନେ ଅନୁରୋଧ କରିଛନ୍ତି । ଏହି ଅଞ୍ଚଳରେ ନିର୍ମାଣାଧୀନ ପୋଲ, ମୋବାଇଲ ଟାୱାର, ପର୍ଯ୍ୟଟନସ୍ଥଳୀ ଓ ପୁଲିସ କ୍ୟାମ୍ପକୁ ବନ୍ଦ କରିବାକୁ ମଧ୍ୟ ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ଏତଦବ୍ୟତୀତ ସାଧାରଣ ଲୋକଙ୍କ ମୌଳିକ ସୁବିଧା ପାଇଁ ସ୍କୁଲ ଓ କଲେଜ ଜଳସେଚନ ପାଇଁ ଦାବି କରିଛନ୍ତି । ତେବେ ଏସମ୍ପର୍କରେ ନୂଆପଡ଼ା ପୁଲିସର କୌଣସି ମତାମତ ମିଳିପାରି ନାହିଁ ।