ନାଟୋ ସଦସ୍ୟତା ପାଇଁ ଆବେଦନ ଦାଖଲ କଲେ ସ୍ୱିଡେନ-ଫିନଲ୍ୟାଣ୍ଡ, ଋଷ ଆକ୍ସନକୁ ଅପେକ୍ଷା

ବ୍ରୁସଲେସ,ଏଜେନ୍ସି: ଉତ୍ତର ଆଣ୍ଟଲାଟିକ ଟ୍ରିଟି ସଂଗଠନ (ନାଟୋ)ରେ ମିଶିବା ପାଇଁ ବିଧିବଦ୍ଧ ଭାବେ ଆବେଦନପତ୍ର ଦାଖଲ କଲେ ଦୁଇ ଇଚ୍ଛୁକ ରାଷ୍ଟ୍ର ସ୍ବିଡେନ ଓ ଫିନଲ୍ୟାଣ୍ଡ। ଆଜି ଉଭୟ ରାଷ୍ଟ୍ରର ପ୍ରତିନିଧି ତଥା ରାଷ୍ଟ୍ରଦୂତ ବେଲଜିୟମ ରାଜଧାନୀ ବ୍ରୁସୱେସରେ ଥିବା ନାଟୋ ମୁଖ୍ୟାଳୟରେ ମହାସଚିବ ଜେନସ ଷ୍ଟୋଲଟେନବର୍ଗଙ୍କ ନିକଟରେ ଏହି ଆବେଦନପତ୍ର ଦାଖଲ କରିଛନ୍ତି। ଋଷର ୟୁକ୍ରେନ ଆକ୍ରମଣ ପରେ ଉଭୟ ୟୁରୋପୀୟ ରାଷ୍ଟ୍ର ସାମରିକ ମେଣ୍ଟ ନାଟୋରେ ସାମିଲ ହେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଗତ କିଛି ଦିନ ପୂର୍ବରୁ ଉଭୟ ରାଷ୍ଟ୍ର ଏନେଇ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଥିବା ଘୋଷଣା ମଧ୍ୟ କରିଥିଲେ। ତେବେ ଆଜି ସେମାନେ ବିଧିବଦ୍ଧ ଭାବେ ଆବେଦନପତ୍ର ଦାଖଲ କରିଛନ୍ତି।

ଅନ୍ୟପଟେ ସୂଚନା ମିଳିଛି ଯେ, ଉଭୟ ରାଷ୍ଟ୍ରର ଆବେଦନ ନେଇ ନାଟୋ ମଧ୍ୟ ସକରାତ୍ମକ ଆଭିମୁଖ୍ୟ ପୋଷଣ କରିପାରେ। ନାଟୋ ମହାସଚିବ ଏହି ଦୁଇ ପ୍ରତିନିଧିଙ୍କୁ ସ୍ବାଗତ ମଧ୍ୟ କରିଛନ୍ତି। ଏହା ଏକ ଗୁରୁତ୍ବପୂର୍ଣ୍ଣ ଦିନ। ଅନ୍ୟ ସମସ୍ତ ନାଟୋ ସହଯୋଗୀ ମଧ୍ୟ ଏହି ପ୍ରସ୍ତାବରେ ସମର୍ଥନ ଜଣାଇଥିବା ମହାସଚିବ ଜେନସ ଷ୍ଟୋଲଟେନବର୍ଗ ସୂଚନା ଦେଇଛନ୍ତି।

ଦୁଇ ଦେଶ ନାଟୋରେ ମିଶିବା ପାଇଁ ଆଗ୍ରହ ପ୍ରକାଶ ପରେ ଋଷ କଡା ଆପତ୍ତି ଉଠାଇଥିଲା। ଏହା ଏକ ଭୁଲ ନିଷ୍ପତ୍ତି ଏବଂ ଏହା ସାମରିକ ଉତ୍ତେଜନାକୁ ଜନ୍ମ ଦେବ ବୋଲି ଋଷ ଚେତାବନୀ ଦେଇଥିଲା। ଆଜି ଉଭୟ ଦେଶଙ୍କ ବିଧିବଦ୍ଧ ଆବେଦନ ପରେ ଖୁବ୍‌ଶୀଘ୍ର ଏହି ଦୁଇ ଦେଶକୁ ନାଟୋର ସଦସ୍ୟତା ମିଳିପାରେ ବୋଲି ମଧ୍ୟ ଆଶା କରାଯାଉଛି। ବର୍ତ୍ତମାନ ନାଟୋରେ ମୋଟ ୩୦ ରାଷ୍ଟ୍ର ସଦସ୍ୟ ଥିବା ବେଳେ ଏବେ ଏହା ୩୨କୁ ବୃଦ୍ଧି ପାଇବାକୁ ଯାଉଛି। ଯାହା ଋଷର ଚିନ୍ତା ବଢାଇଛି।

ଏପଟେ ତୁର୍କି ରାଷ୍ଟ୍ରପତି ଦୁଇ ଦେଶର ନାଟୋ ସଦସ୍ୟତାକୁ କଡା ବିରୋଧ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଆଗକୁ ତୁର୍କି ଏନେଇ ସହମତି ପ୍ରକାଶ କରୁଛି କି ନାହିଁ। ଯଦି କୌଣସି ନାଟୋ ସଦସ୍ୟ ଅନ୍ୟ ରାଷ୍ଟ୍ରର ଯୋଗଦାନକୁ ବିରୋଧ କରେ, ତେବେ ନୂଆ ସଦସ୍ୟତା ଏହି ସଂଗଠନରେ ସମ୍ଭବ ନୁହେଁ। ଏପଟେ ଦୁଇ ଦେଶର ରାଷ୍ଟ୍ରପତିଙ୍କୁ ମଧ୍ୟ ହ୍ୱାଇଟ ହାଉସରେ ବାଇଡେନ ଭେଟିବାର କାର୍ଯ୍ୟକ୍ରମ ରହିଛି।