ଏପ୍ରିଲ ପହିଲାରୁ ଏୟାର ଇଣ୍ଡିଆ ପାଇଲଟଙ୍କ ବଢିବ ୭୫ ପ୍ରତିଶତ ଦରମା, ମିଳିବ କରୋନା ପୂର୍ବର ସମସ୍ତ ସୁବିଧା

ନୂଆଦିଲ୍ଲୀ,ଏଜେନ୍ସି: ଟାଟା ସନ୍ସ ଅଧୀନରେ ରହିଥିବା କେନ୍ଦ୍ର ସରକାରଙ୍କ ବିମାନ ଚଳାଚଳ କମ୍ପାନୀ ଏୟାର ଇଣ୍ଡିଆ ପକ୍ଷରୁ ଏହାର ସମସ୍ତ କର୍ମଚାରୀଙ୍କ ଦରମା ବଢାଇଛି। କରୋନା ମହାମାରୀ ପୂର୍ବରୁ ସମସ୍ତ କର୍ମଚାରୀଙ୍କୁ ଯେଉଁ ସୁବିଧା ମିଳୁଥିଲା ବର୍ତ୍ତମାନ ବି ସେହି ସବୁ ସୁବିଧା ପ୍ରଦାନ କରାଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ମହାମାରୀ କାରଣରୁ ବିମାନ ଚଳାଚଳ ବନ୍ଦ ରହିଥିବା ବେଳେ କମ୍ପାନୀ ଗୁଡିକ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ।

ବର୍ତ୍ତମାନ ପରସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଥିବାରୁ କର୍ମଚାରୀଙ୍କୁ ମିଳୁଥିବା ସବୁ ପୁରୁଣା ସୁବିଧାକୁ ପ୍ରଦାନ କରିବାକୁ ଯାଉଛି ଏୟାର ଇଣ୍ଡିଆ। ଶୁକ୍ରବାର କମ୍ପାନୀ ପକ୍ଷରୁ ଏହାର ପାଇଲଟ୍ ମାନଙ୍କ ଦରମାକୁ ପ୍ରାୟ ୭୫ ପ୍ରତିଶତ ବଢାଇ ଦିଆଯାଇଛି। ବର୍ତ୍ତମାନ ସମସ୍ତ କଟକଣା ଉଠି ଯାଇଥିବା ବେଳେ ବିମାନ ଚଳାଚଳ ମଧ୍ୟ ସାଧାରଣ ହେବାରେ ଲାଗିଛି। ଏପରି ପରସ୍ଥିତିରେ ବେତନ ବ୍ୟବସ୍ଥାକୁ ପୂର୍ବପରି କରିବା ସଠିକ୍ ବୋଲି କମ୍ପାନୀର ନିର୍ଦ୍ଦେଶକ ଅମ୍ରିତା ଶରଣ ପ୍ରକାଶ କରିଛନ୍ତି। ଏହା ସହିତ ଏପ୍ରିଲ ୧ ତାରିଖ ଠାରୁ ଏହି ନୂତନ ଦରମା ବ୍ୟବସ୍ଥା ଲାଗୁ କରାଯିବ।

ମହାମାରୀ ପରେ ପରେ ଏୟାର ଇଣ୍ଡିଆ ପକ୍ଷରୁୁ ଉଡ଼ାଣ ଫି, ସ୍ପେସିଆଲ୍ ପେ ଏବଂ ୱାଇଡ୍ ବଡି ଆଲାଓନ୍ସ ଉପରେ ଯଥାକ୍ରମେ ୩୫, ୪୦ ଓ ୪୦ ପ୍ରତିଶତ ଲେଖାଏଁ ହ୍ରାସ କରାଯାଇଥିଲା। ବର୍ତ୍ତମାନ ଏହାକୁ ୨୦, ୨୫ ଏବଂ ୨୫ ପ୍ରତିଶତ ହିସାବରେ ବଢାଇ ଦିଆଯାଇଛି। କ୍ୟାବିନ୍ କ୍ରୁ ସଦସ୍ୟଙ୍କ ଉଡ଼ାଣ ଫି ଏବଂ ୱାଇଡ୍ ବଡି ଆଲାଓନ୍ସକୁ ଯଥାକ୍ରମେ ୧୫ ଓ ୨୦ ପ୍ରତିଶତ ହ୍ରାସ କରାଯାଇଥିଲା। ୧ ଏପ୍ରିଲ ପରଠାରୁ ଏହାକୁ ୧୦ ଓ ୫ ପ୍ରତିଶତର ଅଭିବୃଦ୍ଧି ସହିତ ପ୍ରଦାନ କରାଯିବ ବୋଲି କହିଛନ୍ତି ଅମ୍ରିତା। ବିଦେଶରେ କାମ କରୁଥିବା ଭାରତୀୟ ପାଇଲଟ୍‌ଙ୍କ ଦରମା ମହମାରୀ ସମୟରେ ପ୍ରାୟ ୧୦ ପ୍ରତିଶତ ବା ୩୦୦ ଡଲାର ଯାଏଁ କଟା ଯାଇଥିଲା।

ବର୍ତ୍ତମାନ ବିଦେଶରେ କାମ କରୁଥିଲେ ଅତିରିକ୍ତ ୧୫୦ ଡଲାର ପ୍ରଦାନ କରାଯିବ। ତେବେ କେବଳ ଏୟାର ଇଣ୍ଡିଆ ନୁହେଁ ଅନ୍ୟ ବିମାନ କମ୍ପାନୀ ଗୁଡିକ ମଧ୍ୟ ପାଇଲଟଙ୍କ ଦରମା ବଢାଇଛନ୍ତି। ସ୍ପାଇସ୍ ଜେଟ୍ ପକ୍ଷରୁ କ୍ୟାପଟେନ୍‌ଙ୍କ ଦରମା ୧୦ ପ୍ରତିଶତ ଏବଂ ଫାଷ୍ଟ ଅଫିସରଙ୍କ ଦରମାକୁ ୧୫ ପ୍ରତିଶତ ବଢାଇ ଦିଆଯାଇଛି। ଇଣ୍ଡିଗୋ ପକ୍ଷରୁ ମଧ୍ୟ ଏହାର କର୍ମଚାରୀଙ୍କ ଦରମାକୁ ୮ ପ୍ରତିଶତ ବଢାଇ ଦିଆଯାଇଛି। ଏହି ଦୁଇ କମ୍ପାନୀରେ ବେତନ ବୃଦ୍ଧି ମାର୍ଚ୍ଚ ମାସରୁ ପିଛିଲା ଭାବରେ ଦିଆଯିବ।