ଇସଲାମାବାଦ,ଏଜେନ୍ସି: ପାକିସ୍ତାନ ସଂସଦ ଆଜି ୧୨୩ ଜଣ ପିଟିଆଇ ସଂସଦଙ୍କ ଇସ୍ତଫା ଗ୍ରହଣ କରିଛି। ଉପବାଚସ୍ପତି କ୍ବାସିମ ସୁରି ସାଂସଦଙ୍କ ଇସ୍ତଫାକୁ ଗ୍ରହଣ କରିଥିବା ସୂଚନା ମିଳିଛି । ଅନାସ୍ଥାରେ କ୍ଷମତା ହରାଇବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଖାନ ଦଳ ଏହାକୁ ବିଦେଶୀ ଷଡଯନ୍ତ୍ର ଦର୍ଶାଇ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲା।
ମିଳିତ ବିରୋଧୀଙ୍କ ପକ୍ଷରୁ ଆଗତରେ ଅନାସ୍ଥାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ନକରି ପାରି କ୍ଷମତାଚ୍ୟୁତ ହୋଇଥିଲା ଇମ୍ରାନ ସରକାର। ଏହାକୁ ବିଦେଶୀ ଷଡଯନ୍ତ୍ର ଦର୍ଶାଇଥିଲେ ଇମ୍ରାନ। ଦେଶବ୍ୟାପୀ ଆନ୍ଦୋଳନ କରିବା ପାଇଁ ମଧ୍ୟ ଆହ୍ବାନ ଦେଇଥିଲେ। ସବୁପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ପୁନଃ ଭୋଟିଂ ପାଇଁ ପାକିସ୍ତାନ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେବା ପରେ ଗୃହରେ ଭୋଟିଂରେ ଇମ୍ରାନ ସରକାରଙ୍କ ପତନ ଘଟିଥିଲା।
ନୂତନ ପ୍ରଧାନମନ୍ତ୍ରୀ ସେହେଓ୍ବାଜ ସରିଫଙ୍କୁ ଜଣେ ଦୁର୍ନୀିତିଗ୍ରସ୍ତ ବ୍ୟକ୍ତି ଭାବେ ଚିତ୍ରଣ କରି ତାଙ୍କ ସହ ସଂସଦରେ ବସିବା ସମ୍ଭବ ନୁହେଁ ବୋଲି ଦର୍ଶାଇଥିଲେ। ତେଣୁ ତାଙ୍କ ସମେତ ଦଳର ସମସ୍ତ ନିର୍ବାଚିତ ସଂସଦ ଇସ୍ତଫା ଦେବା ନେଇ ଇମ୍ରାନ ଘୋଷଣା କରିଥିଲେ। ଆଜି ୧୨୩ ସଂସଦଙ୍କ ଇସ୍ତଫା ଗ୍ରହଣ କରିଛି ପାକିସ୍ତାନ ସଂସଦ। ଗୋଟିଏ ପଟେ ସେହେଓ୍ବାଜଙ୍କ କ୍ଷମତା ଯୁଗ ଆରମ୍ଭ ହୋଇସାରିଥିବା ବେଳେ ଇମ୍ରାନଙ୍କ ଆଗାମୀ ରଣନୀତି ନେଇ ଚର୍ଚ୍ଚା ଜାରି ରହିଛି।