ଟ୍ୱିଟର୍ କିଣିବାକୁ ୪୧ ବିଲିୟନ୍ ଡଲାରର ଅଫର ଦେଲେ ମସ୍କ

ନୂଆଦିଲ୍ଲୀ,ଏଜେନ୍ସି: ଟେସ୍‌ଲାର ସିଇଓ ତଥା ଟ୍ୱିଟରର ସବୁଠାରୁ ଅଧିକ ଅଂଶଧନର ମାଲିକାନା ରଖିଥିବା ଏଲନ୍ ମସ୍କ କମ୍ପାନୀକୁ କିଣିବାକୁ ପ୍ରସ୍ତାବ ଦେଇଛନ୍ତି । ମସ୍କ ଟ୍ୱିଟର୍‌କୁ କିଣିବା ପାଇଁ ୪୧ ବିଲିୟନ୍ ଡଲାରର ଅଫର ଦେଇଛନ୍ତି । ନିକଟରେ ସବୁଠାରୁ ଅଧିକ ଅଂଶଧନର ମାଲିକାନା ରଖିଥିବା ମସ୍କଙ୍କୁ ବୋର୍ଡରେ ଯୋଗ ଦେବା ପାଇଁ ଆମନ୍ତ୍ରଣ ଦେଇଥିଲା ଟ୍ୱିଟର । ମସ୍କ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରି ଦେଇଥିବା ବେଳେ କମ୍ପାନୀକୁ କିଣିବାକୁ ପ୍ରସ୍ତାବ ଦେଇଥିବା ଜଣାପଡିଛି । ପ୍ରତି ଶେୟାର ପିଛା ମୂଲ୍ୟ ୫୪.୨୦ ଟଙ୍କାର ମୂଲ୍ୟରେ କମ୍ପାନୀକୁ କିଣିବା ପାଇଁ ମସ୍କ ରେଗୁଲେଟୋରୀ ଫାଇଲିଂ କରିଥିବା ଜଣାପଡିଛି । କମ୍ପାନୀରେ ମସ୍କଙ୍କ ୯ ପ୍ରତିଶତ ଅଂଶଧନ ରହିଥିବା ଖବର ଆସିବା ପରେ ଅଂଶଧନ ମୂଲ୍ୟ ୧୨ ପ୍ରତିଶତ ବଢି ଯାଇଥିଲା ।

ଏହି କମ୍ପାନୀରେ ନିବେଶ କରିବା ପରେ ମୁଁ ବର୍ତ୍ତମାନ ଅନୁଭବ କରୁଛି କି ଏହି କମ୍ପାନୀର ଅଭିବୃଦ୍ଧି ଅସମ୍ଭବ । ସାମାଜିକ ଆବଶ୍ୟକତା ଅନୁସାରେ ଏହି କମ୍ପାନୀ ନା ବଦଳିବାକୁ ଚାହୁଁଛି ନା ସଫଳତା ହାସଲର ବ୍ୟଗ୍ରତା ରହିଛି । ଏକ ଘରୋଇ କମ୍ପାନୀ ଭାବରେ ଟ୍ୱିଟରକୁ ବଡ ପରିବର୍ତ୍ତନର ଆବଶ୍ୟକତା ରହିଥିବା ନେଇ ସିଇଓ ବ୍ରେଟ୍ ଟେଲରଙ୍କୁ ପତ୍ର ଲେଖି କହିଛନ୍ତି ମସ୍କ ।

ଏହା ସହିତ ମସ୍କ କହିଛନ୍ତି ଏହି ଅଫର ମୋର ଶ୍ରେଷ୍ଠ ଏବଂ ଶେଷ ଅଫର । କମ୍ପାନୀ ଯଦି ମୋର ଅଫର ଗ୍ରହଣ ନକରେ ତାହେଲେ ଶେୟାର ହୋଲ୍ଡ ର ଭାବରେ ନିଜର ବିକଳ୍ପ ଉପରେ ବିଚାର କରିବେ ବୋଲି କହିଛନ୍ତି ମସ୍କ । ଉଲ୍ଲେଖଯୋଗ୍ୟ ଯେ, ମସ୍କ ଟ୍ୱିଟର୍‌ରେ ୯.୨ ପ୍ରତିଶତ ଅଂଶଧନର ମାଲିକ ବୋଲି ଏପ୍ରିଲ୍ ୪ ତାରିଖରେ ଜଣାପଡିଥିଲା । ମସ୍କଙ୍କ ନିକଟରେ ପ୍ରାୟ ୩ ବିଲିୟନ୍ ଡଲାରର ଅଂଶଧନ ରହିଥିବା ବେଳେ ଏହି ଖବର ବାହାରକୁ ଆସିବା ସହିତ ଟ୍ୱିଟର ଅଂଶଧନ ମୂଲ୍ୟରେ ଅଭିବୃଦ୍ଧି ଘଟିଥିଲା । ତେବେ ଟ୍ୱିଟର ବୋର୍ଡରେ ଯୋଗ ଦେଇଥିଲେ କମ୍ପାନୀକୁ କିଣିବାରେ ମସ୍କ ଅସମର୍ଥ ହେବେ ବୋଲି ଜାଣିବା ପରେ ମସ୍କ ଏହି ଅଫର୍‌କୁ ପ୍ରତ୍ୟାଖ୍ୟାନ କରିଥିଲେ ।