ଚତୁର୍ଥ ଲହର ଚିନ୍ତା: ‘XE’ ଭ୍ୟାରିଆଣ୍ଟକୁ ନେଇ ଭୟବୀତ ନହେବାକୁ ପରାମର୍ଶ ଦେଲେ ଏନ୍‌ଟିଏଜିଆଇ ମୁଖ୍ୟ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଏବେ ଚତୁର୍ଥ ଲହର ଚିନ୍ତା ବଢିଛି। କରୋନାର ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହେବା ପରେ ପୁଣି ବିଶ୍ୱରେ କରୋନା ଆତଙ୍କ ଖେଳିଯାଇଛି। ଓମିକ୍ରନ୍ ର ସବ୍ ଭ୍ୟାରିଆଣ୍ଟ ‘ଏକ୍ସଇ’ ଚିହ୍ନଟ ହେବା ପରେ ଭାରତକୁ ମଧ୍ୟ ସଂକ୍ରମଣର ଭୟ ରହିଥିଲା। ଏହାପରେ ଗୁଜୁରାଟରେ ପ୍ରଥମ ଏକ୍ସଇ ଭ୍ୟାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ଚତୁର୍ଥ ଲହରକୁ ନେଇ ଚିନ୍ତା ଦ୍ୱିଗୁଣିତ ହୋଇଛି।

ଏଭଳି ସ୍ଥିତିରେ ‘ଏକ୍ସଇ’ ଭ୍ୟାରିଆଣ୍ଟକୁ ନେଇ ସୂଚନା ଦେଇଛନ୍ତି ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗୃପ୍ ଅଫ୍ ଇମ୍ୟୁନାଇଜେସନ୍ ମୁଖ୍ୟ ଡାକ୍ତର ଏନ୍‌କେ ଅରୋରା। ଏକ୍ସଇ ଭ୍ୟାରିଆଣ୍ଟକୁ ନେଇ ଭୟବୀତ ହେବାର ଆକଶ୍ୟକତା ନାହିଁ। କୋଭିଡ୍ ର ଏହି ନୂଆ ଭ୍ୟାରିଆଣ୍ଟ ମାରାତ୍ମକ ନୁହେଁ। ଏହା ଓମିକ୍ରନ୍ ଭଳି ପ୍ରଭାବ ପକାଇବା ମାତ୍ର ମୃତ୍ୟୁ ହାର କମ୍ ରହିବ ବୋଲି ଡାକ୍ତର ଏନ୍‌କେ ଅରୋରା କହିଛନ୍ତି।

ଏହାଛଡା ଏକ୍ସଇ ଭି ଆହୁରି ନୂଆ ସବ୍ ଭ୍ୟାରିଆଣ୍ଟ ଓମିକ୍ରନ୍ ସୃଷ୍ଟି କରିପାରେ ମାତ୍ର ଏହା ସେତେ ପ୍ରଭାବୀ ହେବ ନାହିଁ ଏବଂ ସେତେ ମାତ୍ରାରେ ସଂକ୍ରମଣ ମଧ୍ୟ କରିବ ନାହିଁ ତେଣୁ ବର୍ତ୍ତମାନ ସ୍ଥିତିରେ ଭୟବୀତ ନହୋଇ କେବଳ ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଏନ୍‌ଟିଏଜିଆଇ ମୁଖ୍ୟ।