ନୂଆଦିଲ୍ଲୀ: ଜବାହାରଲାଲ ୟୁନିଭର୍ସିଟିରେ ଗତକାଲି ହୋଇଥିବା ହିଂସାକୁ ନେଇ ବିଶ୍ୱବିଦ୍ୟାଳୟ ପ୍ରଶାସନ ବୟାନ ଜାରି କରିଛନ୍ତି । ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ବିଶ୍ୱବିଦ୍ୟାଳୟ ଭିତରେ କୌଣସି ପ୍ରକାର ହିଂସାକୁ ଆଦୌ ସହ୍ୟ କରାଯିବ ନାହିଁ ବୋଲି ଆମେ ପୁଣିଥରେ ଦୋହରାଉଛୁ । ଏଥିସହିତ ବିଶ୍ୱବିଦ୍ୟାଳୟରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ଭାଇସ ଚାନ୍ସଲର ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ।
ସୂଚନାଯୋଗ୍ୟ, ଆମିଷ ଖାଇବାକୁ ନେଇ ଛାତ୍ରଙ୍କ ୨ ଗୋଷ୍ଠୀ ମଧ୍ୟରେ କାବେରୀ ହୋଷ୍ଟେଲରେ ହିଂସା ହୋଇଥିଲା । ଘଟଣାକୁ ଗମ୍ଭୀର ସହକାରେ ନେଇ ଭାଇସ ଚାନ୍ସଲର, ରେକ୍ଟର ଓ ଅନ୍ୟ ଅଧିକାରୀ ହୋଷ୍ଟେଲରେ ପହଂଚି ଛାତ୍ରଙ୍କୁ ଭେଟିଥିଲେ । ଏହି ମାମଲାରେ ତୁରନ୍ତ ଜରୁରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହୋଷ୍ଟେଲରେ ଉପସ୍ଥିତ ଥିବା ୱାଡେନ୍ସଙ୍କୁ ଭାଇସ ଚାନ୍ସଲର ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ କ୍ୟାମ୍ପସର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।