ସ୍କୁଲରେ ଉଠ ବସ ଘଟଣା, ୭ ଛାତ୍ରୀ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସୁନାମୁଦିସ୍ଥିତ ବାପୁଜୀ ହାଇସ୍କୁଲରେ ପ୍ରାର୍ଥନା ସମୟରେ ଆଜି ଏକ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି । ଛାତ୍ରୀଙ୍କ କହିବାନୁସାରେ, ଆଜି ସକାଳ ୭ଟାରେ ସ୍କୁଲରେ ପ୍ରତିଦିନ ଭଳି ପ୍ରାର୍ଥନା ହେଉଥିଲା । କିନ୍ତୁ କିଛି ଛାତ୍ରୀ ପ୍ରାର୍ଥନା ସମୟରେ ବିଳମ୍ବ କରିଥିବାରୁ ଭୂଗୋଳ ଶିକ୍ଷକ ବିକାଶ ଧରୁଆ ରାଗିଯାଇ ଛାତ୍ରୀଙ୍କୁ ଶହେ ଥର କାନ ଧରି ଉଠ ବସ ହେବା ପାଇଁ କହିଥିଲେ । ପ୍ରାର୍ଥନା ସମୟରେ ୬୦ଜଣ ଛାତ୍ରୀ ଉପସ୍ଥିତ ଥିବାବେଳେ ୭ଜଣ ଛାତ୍ରୀ ମୂର୍ଚ୍ଛା ହୋଇ ତଳେ ପଡ଼ି ଯାଇଥିଲେ । ପରେ ସେମାନଙ୍କୁ ପାଟଣାଗଡ଼ ଡାକ୍ତରଖାନା ଅଣାଯାଇ ଚିକିତ୍ସା କରାଯାଇଥିବାବେଳେ ୬ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବାବେଳେ ଜଣେ ଛାତ୍ରୀ ଗୁରୁତର ଥିବା ଡାକ୍ତରଖାନା କର୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ୭ଜଣ ଛାତ୍ରୀ ହେଲେ ବିଶେଶ୍ୱରୀ ମେହେର, ରାଖୀ କୁଅଁର, ପ୍ରିୟଙ୍କା ହନୁମାନ, ଗୀତାଞ୍ଜଳି କାଲସଏ, ଶ୍ରୀୟା ରଣା, ସ୍ମୃତି ସାହୁ ଓ ସୁନାଞ୍ଜଳି ଦାସ ବୋଲି ଜଣାପଡ଼ିଛି । ଏଭଳି ଘଟଣା ଅଞ୍ଚଳରେ ପ୍ରଥମ ହୋଇଥିବାରୁ ଅଭିବାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ପାଟଣାଗଡ଼ ଉପଜିଲ୍ଲାପାଳ ତୁରନ୍ତ ସମ୍ପୃକ୍ତ ଭୂଗୋଳ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି ।