ବାଲେଶ୍ବର,ଏନ୍ଏନ୍ଏସ୍: ଜିଲ୍ଲା ନୀଳଗିରି ପୁଲିସର ଦାଦାଗିରି। ଏହି ଅଞ୍ଚଳର ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ପୁଲିସ ଗିରଫ କରିବା ଓ ଗୋଡ଼ରେ ବେଦୀ ପକାଇ ରଖିବା ଘଟଣାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସାମ୍ବାଦିକମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷଙ୍କୁ ଭେଟିବା ସହ ଉପଯୁକ୍ତ ତଦନ୍ତ ପାଇଁ ଦାବି ହୋଇଛି।
ସୂଚନା ଅନୁସାରେ, ଗତ ମଙ୍ଗଳବାର ରାତିରେ ସାମ୍ବାଦିକ ଲୋକନାଥ ଦଳେଇ ରାତିରେ ଘରକୁ ଫେରୁଥିବା ସମୟରେ ନିଳଗିରୀ ଥାନାର ଜଣେ କର୍ମଚାରୀ ତାଙ୍କ ଗାଡିକୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ଉଭୟଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା। ଘଟଣାସ୍ଥଳରୁ ସ୍ଥାନୀୟ ବାସିନ୍ଦା ମାନେ ଉଭୟକୁ ବୁଝା ସୁଝା କରି ସମାଧାନ କରିଥିଲା ବେଳେ ବୁଧବାର ସକାଳେ ହଠାତ ପୁଲିସ ଲୋକନାଥ ଦଳାଇଙ୍କୁ ଗିରଫ କରିବା ସହିତ ୧୨ଘଣ୍ଟା ଥାନାରେ ଅଟକ ରଖି ନାନାଦି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
ତେବେ ସାମ୍ବାଦିକଙ୍କ ସାସ୍ଥ୍ୟବସ୍ଥା ଗମ୍ଭୀରଭାବେ ଖରାପ ହୋଇଥିବା ଯୋଗୁଁ ତାଙ୍କୁ ଗତକାଲି ରାତିରେ ବାଲେଶ୍ବର ଜିଲ୍ଲା ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ତାଙ୍କ ଗୋଡରେ ବେଡି ପକାଇ ରଖିବା ଘଟଣା ପୋଲିସର ଆକ୍ରୋଶକୁ ଆହୁରି ସ୍ପଷ୍ଟ କରୁଛି।
ଏହି ଘଟଣାରେ ସାମ୍ବାଦିକମାନେ ଏସ୍ପିଙ୍କୁ ଭେଟି ଏ ନେଇ ତଦନ୍ତ ପାଇଁ ଦାବି କରିଛନ୍ତି। ଜଣେ ଡିଏସପିଙ୍କ ନେତୃତ୍ୱରେ ଏହି ମାମଲା ତଦନ୍ତ କରାଯିବ ବୋଲି ଏସ୍ପି କହିବା ସହ ବେଡି ଫିଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ପୁଲିସର ମାତ୍ରାଧିକ କ୍ଷମତା ଅପବ୍ୟବହାରକୁ ନେଇ ସବୁ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ବରିଷ୍ଠ ପୋଲିସ ଅଧିକାରୀଙ୍କ କାର୍ଯ୍ୟନୁଷ୍ଠାନକୁ ଅପେକ୍ଷା କରାଯାଇଛି।