ରାଜସ୍ଥାନର କରୌଲିରେ ବାଇକ ରାଲି ଉପରେ ପଥରମାଡ଼; ଅଗ୍ନିକାଣ୍ଡ ପରେ କର୍ଫ୍ୟୁ, ଇଣ୍ଟରନେଟ୍‌ ବନ୍ଦ

ଜୟପୁର,ଏନ୍ଏନ୍ଏସ୍: ରାଜସ୍ଥାନର କରୌଲିରେ ବଡ଼ଧରଣର ଉତ୍ତେଜନା ଦେଖାଯାଇଛି। ଏଠାରେ ଶନିବାର ନଭ ସୱତ୍ସର ଲାଗି ବାହାରିଥିବା ବାଇକ ଶୋଭାଯାତ୍ରା ଉପରେ ପଥରମାଡ଼ ହୋଇଛି। ପଥରମାଡ଼ରେ ପାଖାପାଖି ୪୨ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ପରିସ୍ଥିତି ନିୟନ୍ତ୍ରଣ ରଖିବା ପାଇଁ ଏଠାରେ ୧୪୪ ଧାରା ଲାଗୁ କରାଯାଇଛି। ସହରରେ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ଶନିବାର ବିଳମ୍ବିତ ରାତି ଠାରୁ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି।

ବାଇକ ରାଲି ଉପରେ ହୋଇଥିବା ପଥରମାଡ଼ କାରଣରୁ ୪ ଜଣ ପୋଲିସ କର୍ମଚାରୀଙ୍କ ସମେତ ୪୨ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ପୋଲିସ ମୁତୟନ କରାଯାଇଛି। କିନ୍ତୁ ଏହା ପୂର୍ବରୁ ହିଂସା ଦେଖାଯାଇଛି। ୨୦ରୁ ଊର୍ଦ୍ଧ୍ବ ବାଇକ ଓ ଦୋକାନରେ ଅଗ୍ନି ସଂଯୋଗ କରାଯାଇଛି।

ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଘଟଣା ସଂପର୍କରେ ଅବଗତ ହେବା ପରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ସହିତ ଫୋନରେ କଥା ହୋଇଛନ୍ତି। ଏଥି ସହିତ ସେ ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ଶାନ୍ତି ପ୍ରତିଷ୍ଠା ପାଇଁ ସ୍ଥାନୀୟ ଲୋକଙ୍କ ନିକଟରେ ଅପିଲ କରିଛନ୍ତି।