ମହୁଲ ଗୋଟାଉଥିବା ସମୟରେ ମହିଳାଙ୍କୁ ଦଳିଦେଲା ହାତୀ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ରିଆମାଳ ଫରେଷ୍ଟ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଖଣ୍ଡାଧୂଆଁ-ଉଟୁଣିଆ ଘାଟି ନିକଟରେ ମହୁଲ ଗୋଟାଉଥିବା ଜଣେ ମହିଳାଙ୍କୁ ହାତୀ ଦଳି ଦେଇଛି । ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାଟି କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଖଣ୍ଡାଧୂଆଁ ଗ୍ରାମରେ ଘଟିଛି ।

ମିଳିଥିବା ରିପୋର୍ଟ ମୁତାବକ, ଆଜି ସକାଳୁ ଉକ୍ତ ଗ୍ରାମର ପଦ୍ମନାଭ ପ୍ରଧାନଙ୍କ ସ୍ତ୍ରୀ ପ୍ରମିଳା ପ୍ରଧାନ ମହୁଲ ଗୋଟାଇବାକୁ ଘରୁ ବାହାରି ଖଣ୍ଡାଧୂଆଁ ଉଟୁଣିଆ ଘାଟି ରାସ୍ତାକଡ଼ରୁ ମହୁଲ ଗୋଟାଉ ଥିଲେ । ଏହି ସମୟରେ ଏକ ଦନ୍ତା ହଠାତ ପ୍ରମିଳାଙ୍କୁ ଆକ୍ରମଣ କରିବା ସହ ଶୁଣ୍ଢରେ କଚାଡ଼ି ଦଳି ଦେବାରୁ ଘଟଣାସ୍ଥଳରେ ପ୍ରମିଳାଙ୍କ ମୃତ୍ୟୁ ହୋଇଥିଲା । ନିକଟରେ ଅନ୍ୟ କେତେକ ଗ୍ରାମବାସୀ ମହୁଲ ଗୋଟାଉଥିଲେ ହେଁ ଭୟରେ ସେଠାରୁ ଦୌଡ଼ି ପଳାଇଥିଲେ । ଗାଁରେ ଘଟଣା ସମ୍ପର୍କରେ କହିବାରୁ ପରିବାର ଲୋକ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ସହ ବନବିଭାଗ ଓ ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ଉଭୟ ବନ ଓ ପୁଲିସ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ନିୟମ ଅନୁଯାୟୀ ମୃତକଙ୍କ ପରିବାର ଲୋକଙ୍କୁ ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଦେବଗଡ଼ ବନଖଣ୍ଡ ଅଧିକାରୀ ମଗର ଧନାଜୀ ରାଓସୋ ପ୍ରକାଶ କରିଛନ୍ତି ।