ସରପଞ୍ଚ ସମେତ ୪ ପିଏଲଏଫଆଇ ମେମ୍ବର ଗିରଫ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ବାରକୋଟ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ମିଲିସିଆ ପରିଚୟ ଦେଇ ପିସ୍ତଲ ମୁନରେ ଭୟଭୀତ କରାଇ ୧ଲକ୍ଷ ଟଙ୍କା ଦାବୀ କରୁଥିବା ୪ ମିଲିସିଆ (ପିଏଲଏଫଆଇ) ସଦସ୍ୟଙ୍କୁ ବାରକୋଟ ଥାନା ପୁଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ୯ଟି ଏମଏମ ପିସ୍ତଲ, ୨ଟି ମ୍ୟାଗାଜିନ, ୯ଟି ୯ ଏମଏମ ଗୁଳି ଓ ମୋବାଇଲ ଫୋନ ଜବତ ହୋଇଛି । ଏନେଇ ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି ।

ପୁଲିସ କହିବା ମୁତାବକ, ବାରକୋଟ ଥାନାଞ୍ଚଳର ଜଣେ ବ୍ୟକ୍ତିଙ୍କୁ ବଣାଇ ଥାନାଞ୍ଚଳର ରାକେଶ ସାହୁ ଓ ଅନିଲ ପାତ୍ର ଏବଂ ବାରକୋଟ ଥାନାଞ୍ଚଳର ଲକ୍ଷ୍ମଣ କିସାନ ଓ ଲକ୍ଷ୍ମଣ ମହନ୍ତ ନିଜକୁ ମିଲିସିଆ ପରିଚୟ ଦେଇ ପିସ୍ତଲ ମୁନରେ ଭୟଭୀତ କରି ୧ଲକ୍ଷ ଟଙ୍କା ଦାବୀ କରିଥିଲେ । ଆଉ ପ୍ରଥମ ପର୍ଯ୍ୟାୟରେ ୧୦ହଜାର ଟଙ୍କା ନେଇଥିଲେ । ଏନେଇ ଅଭିଯୋଗ କରି ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବାରକୋଟ ଥାନା ପୁଲିସ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହାସହ ଅଭିଯୁକ୍ତଙ୍କୁ ଠାବ କରି ସେମାନଙ୍କ ନିକଟରୁ ପିସ୍ତଲ, ମ୍ୟାଗାଜିନ, ଗୁଳି ଓ ମୋବାଇଲ ଫୋନ ଜବତ କରିବା ସହ ସମସ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମଧ୍ୟରୁ ଲକ୍ଷ୍ମଣ କିସାନ ବାରକୋଟ ବ୍ଲକ ଝରାକଂଢଳ ପଞ୍ଚାୟତ ସରପଞ୍ଚ ଥିବା ଜଣାପଡ଼ିଛି । ଆଜି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସମ୍ଭାବନା ଥିବା ଏସପି ଶ୍ରୀ ପାଇକରାୟ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର, ଡିଆଇବି ଡିଏସପି ପ୍ରଦୀପ କୁମାର କେରକେଟ୍ଟା ଓ ବାରକୋଟ ଥାନାଧିକାରୀ କନକ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।