ପଶ୍ଚିମବଙ୍ଗ ବିଧାନସଭାରେ ମାରପିଟ, ୫ ବିଜେପି ବିଧାୟକ ନିଲମ୍ବିତ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବୀରଭୂମ ହିଂସାକୁ ନେଇ ଜୋରଦାର ହଙ୍ଗାମା ଜାରି ରହିଛି । ଆଜି ବିଧାନସଭାରେ କ୍ଷମତାଧାରୀ ଟିଏମସି ଓ ବିଜେପି ବିଧାୟକ ମୁହାଁମୁହିଁ ହୋଇଥିଲେ । ପରେ ଏହାକୁ କେନ୍ଦ୍ର କରି ବିଜେପିର ୫ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ସେମାନଙ୍କ ମଧ୍ୟରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ମନୋଜ ଟିଗଗା, ଶଙ୍କର ଘୋଷ, ଦୀପକ ବରମନ ଓ ନରହୋରୀ ମହତୋ ସାମିଲ ଅଛନ୍ତି । ପଶ୍ଚିମବଙ୍ଗ ବିଧାନସଭାର ବଜେଟ ଅଧିବେସନର ଆଜି ଶେଷ ଦିନ ଥିଲା ।

ବୀରଭୂମ ହିଂସା ମାମଲାରେ ବିଜେପି ଯେତେବେଳେ ଆଲୋଚନା ଦାବି କରିଥିଲା ସେତେବେଳେ ଟିଏମସି ବିଧାୟକ ନିୟନ୍ତ୍ରଣ ହରାଇ ମାରପିଟ କରିଥିବା ବିଜେପି କହିଛି । ଏହି ସମୟରେ ବିଜେପି ବିଧାୟକ ମନୋଜ ତିଗଗାଙ୍କ ସହ ମାରପିଟ କରାଯାଇଥିଲା । ହଙ୍ଗାମା ବଢ଼ିବାରୁ ବିଜେପି ସଦନରୁ ଚାଲି ଯାଇଥିଲେ । ଏହି ଆକ୍ରମଣ ସମୟରେ ଟିଏମସି ବିଧାୟକ ଅସିତ ମଜୁମଦାର ମଧ୍ୟ ଆହତ ହୋଇଛନ୍ତି । ସଦନରୁ ବାହାରି ବିଜେପି ବିଧାୟକ ବାହାରେ ମଧ୍ୟ ପ୍ରଦର୍ଶନ କରିଥିଲେ ।