ଆନ୍ଧ୍ରପ୍ରଦେଶ: ବିବାହ ପାଇଁ ଯାତ୍ରୀଙ୍କୁ ନେଇ ଯାଇଥିବା ବସ୍ ଦୁର୍ଘଟଣା ଗ୍ରସ୍ତ, ୭ ମୃତ

ଚିତୋର,ଏଜେନ୍ସି: ବିବାହ ପାଇଁ ଯାତ୍ରୀଙ୍କୁ ନେଇ ଯାଇଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କିଛି ଗୁରୁତର ଅଛନ୍ତି। ଆନ୍ଧ୍ରପ୍ରଦେଶର ଚିତୋର ଜିଲ୍ଲା ଭାକରପେଟାରେ ଶନିବାର ରାତି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ଆନ୍ଧ୍ରପ୍ରଦେଶର ମନ୍ଦିରମାଳିନୀ ସହର ତିରୁପତି ଠାରୁ ୨୫ କିଲୋମିଟର ଦୂରରେ ଥିବା ଭାକରପେଟାରେ ଶନିବାର ରାତି ପ୍ରାୟ ସାଢ଼େ ୧୧ଟାରେ ବିବାହ ପାଇଁ ଯାଇଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତିରୁପତି ଏସ୍‌ପି କହିଛନ୍ତି, ଚାଳକଙ୍କ ଅବହେଳା ଯୋଗୁଁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତମାନଙ୍କୁ ନିକଟସ୍ଥ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଘରୋଇ ବସ୍‌ଟି ୫୨ ଜଣ ବିବାହ ଯାତ୍ରୀଙ୍କୁ ନେଇ ଅନନ୍ତପୁର ଜିଲ୍ଲା ଧରମାବରମ ଠାରୁ ବାହାରିଥିଲା। ଏହା ଚିତୋର ଜିଲ୍ଲାର ନାଗାରୀ ନିକଟ ଏକ ଗାଁକୁ ଯାଉଥିଲା। ଘାଟ ରୋଡ୍‌ରେ ବସ୍‌ଟି ଯାଉଥିବା ବେଳେ ଆଦୁପୁଟ୍ଟାପି ଘାଟିରେ ଭାରସାମ୍ୟ ହରାଇଥିଲା। ସୂଚନା ମିଳିବା ପରେ ପୁଲିସ ଟିମ୍ ଘଟଣାସ୍ଥଳକୁ ପହଞ୍ଚିଥିଲେ। ୫୦ ଫୁଟ ଗଭୀରକୁ ବସ୍‌ଟି ଖସିପଡ଼ିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ସକାଳ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।