ଦେବଗଡ଼ରେ ବିଜେଡିର ବାଜିମାତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ପଞ୍ଚାୟତ ନିର୍ବାଚନରେ ବିପୁଳ ବିଜୟ ପରେ ବିଜେପି ଡବଲ ଇଞ୍ଜିନ ଶାସନାଧୀନ ଦେବଗଡ଼ ଜିଲ୍ଲାରେ ପୌରାଧ୍ୟକ୍ଷା ଆସନ ମଧ୍ୟ ବିଜେଡି ହାତକୁ ଯାଇଛି । ଦେବଗଡ଼ ପୌର ପରିଷଦ ପୌରାଧ୍ୟକ୍ଷା ଭାବେ ବିଜେଡି ପ୍ରାର୍ଥିନୀ ଶାନ୍ତି ମଞ୍ଜରୀ ଦେଇ ୪୨୮ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥିନୀ ସମ୍ବଲପୁର ସାଂସଦ ନିଦେଶ ଗଙ୍ଗଦେବଙ୍କ ଭାଉଜ ମାଧବୀ ଦେବୀଙ୍କୁ ପରାସ୍ତ କରିଛନ୍ତି । ବିଜେଡି ପ୍ରାର୍ଥୀନୀ ଶାନ୍ତି ମଞ୍ଜରୀ ଦେଇ ୫,୨୪୭ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀନୀ ମାଧବୀ ଦେବୀ ୪,୮୧୯ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥିନୀ ପବନି ସାହୁ ୨,୦୮୭ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ବିଜୟ ପରେ ନିଜ ପ୍ରତିକ୍ରିୟାରେ ନବନିର୍ବାଚିତ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ସମସ୍ତଙ୍କୁ ସାଥୀରେ ନେଇ ଜିଲ୍ଲାର ବିକାଶ ପାଇଁ କାର୍ଯ୍ୟ କରିବାକୁ ମନସ୍ଥ କରିଥିବା ପ୍ରକାଶ କରିବା ସହ ଏହି ବିଜୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଦଳର ପ୍ରତିଟି କାର୍ଯ୍ୟକର୍ତ୍ତାଙ୍କ ବୋଲି ପ୍ରକାଶ କରିଛନ୍ତି ।

ସେହିପରି ୧୧ ୱାର୍ଡ ବିଶଷ୍ଟ ଦେବଗଡ଼ ପୌର ପରିଷଦ ନିର୍ବାଚନରେ ବିଜେପି ୬ନଂ ୱାର୍ଡ କାଉନସିଲ ଜିତି ଥିବାବେଳେ ବିଜେଡି ଖାତାରେ ୪ ଓ କାଉନସିିଲର ପ୍ରାର୍ଥୀ ଭାବେ ଏକମାତ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ୬ ନମ୍ବର ୱାର୍ଡ କାଉନସିଲର ଭାବେ ଧର୍ମେନ୍ଦ୍ର କୁମାର ଦେବତା ବିଜୟୀ ହୋଇଛନ୍ତି । ଦେବଗଡ଼ ପୌରାଞ୍ଚଳର ୬,୦୪୨ ପୁରୁଷ ଓ ୬,୨୩୪ ମହିଳା ମୋଟ ୧୬୮୧୬ ଭୋଟରଙ୍କ ମଧ୍ୟରୁ ୧୨,୨୭୬ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ । ଆଜି ମତଦାନ ଗଣତି ପରେ କଂଗ୍ରେସ ପ୍ରାର୍ଥୀଙ୍କୁ ୧୭ ପ୍ରତିଶତ, ବିଜେପିକୁ ୩୯.୨୫ ପ୍ରତିଶତ ଓ ବିଜେଡିକୁ ୪୨.୭୪ ପ୍ରତିଶତ ଭୋଟରଙ୍କ ସମର୍ଥନ ରହିଥିବା ବେଳେ ୦.୯୮ ପ୍ରତିଶତ ନୋଟାରେ ମତଦାନ କରିଥିଲେ ।