ପୋଷ୍ଟାଲ ଏଜେଣ୍ଟଙ୍କ ସ୍କୁଟି ଡିକିରୁ ୧.୯ ଲକ୍ଷ ଲୁଟ୍‌, ରିଆମାଳ ଥାନାରେ ଅଭିଯୋଗ

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ସଦର ଦୂର୍ଗା ମଣ୍ଡପ ସମ୍ମୁଖରୁ ଆଜି ମଧ୍ୟାହ୍ନ ସମୟରେ ବୁଡିଦୋ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଡିଲେଶ୍ୱର ବେହେରାଙ୍କ ସ୍କୁଟିରୁ ୧ ଲକ୍ଷ ୯୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ରିଆମାଳ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ଡିଲେଶ୍ୱର ପୋଷ୍ଟ ଅଫିସ ପକ୍ଷରୁ ଏଜେଣ୍ଟ ରହି ବହୁ ଲୋକଙ୍କ ଆର୍‌ଡି ଖାତା ଖୋଲିଛନ୍ତି। ଦୈନିକ ସେ ଲୋକମାନଙ୍କ ପାଖରୁ ଟଙ୍କା କଲେକସନ୍ କରି ପୋଷ୍ଟ ଅଫିସରେ ଡିପୋଜିଟ କରିଥାନ୍ତି। ଯାହାକି ଦୈନିକ ତାଙ୍କର ଲକ୍ଷ ଲକ୍ଷ ଟଙ୍କା କଲେକସନ ହୋଇଥାଏ।

ଦୈନନ୍ଦିନ ପରି ସେ ଆଜିର କଲେକସନ ସାରି ୨ ଲକ୍ଷ ଟଙ୍କା ସ୍କୁଟି ଡିକିରେ ନେଇ ଫେରୁଥିଲେ। ଏହା ପରେ ଦୂର୍ଗା ମଣ୍ଡପ ସମ୍ମୁଖରେ ଗାଡି ଥୋଇ ଏକ ଦୋକାନକୁ ଯାଇଥିଲେ। ମାତ୍ର କିଛିକ୍ଷଣ ପରେ ଆସି ଡିକି ଦେଖିବାରୁ ଡିକିରେ କେବଳ ୧୦ ହଜାର ଟଙ୍କା ଥିଲା। ଏହା ପରେ ସେ ରିଆମାଳ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ରିଆମାଳ ପୁଲିସ ଜୋରଦାର ତଦନ୍ତ ଚଳାଇଥିବା ଜଣାପଡିଛି। ମାର୍କେଟରେ ଯଦି ସିସିଟିଭି ଫୁଟେଜ ଲାଗନ୍ତା ତାହାଲେ ଚୋର ଧରିବାରେ ପୁଲିସ ସଫଳ ହୁଅନ୍ତା ବୋଲି ଜନସାଧାରଣରେ ପ୍ରକାଶ ପାଉଛି।